ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାହୁଲ ଗାନ୍ଧୀ, ନୋଟିସକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ନୋଟିସ କରିଥିଲା ତାଙ୍କ ସହିତ ପ୍ରୟଙ୍କା ଗାନ୍ଧୀ ମଧ୍ୟ ଆସିଛନ୍ତି ଏବଂ ହଜାର ହଜାର କଂଗ୍ରେସ କର୍ମୀ ଇଡି କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

କଂଗ୍ରେସ ସୋନିଆ ଏବଂ ରାହୁଲଙ୍କୁ ଦିଆଯାଇଥିବା ନୋଟିସକୁ ବିରୋଧ କରୁଛି। ଏଥି ପାଇଁ ଅଜି ଦେଶ ବ୍ୟାପି ଇଡି କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ବିରୋଧ ପ୍ରଦର୍ଶନକୁ କଂଗ୍ରେସ ସତ୍ୟାଗ୍ରହର ନାଁ ଦେଇଛି। ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯାଉଛି।

ଅନ୍ୟପଟେ ଏହି ବିଷୟରେ ରାଜନୀତି ନ କରି ଇଡି ଆଗରେ ହାଜର ହୋଇ ରାହୁଲ ସମସ୍ତ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ବିଜେପି କହିଛି। ସେହିପରି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଇଡି ଏକ ନୂଆ ସମନ ଜାରି କରିଛି। ଜୁନ୍ ୨୩ ତାରିଖରେ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି। ସେପଟେ କଂଗ୍ରେସ ନିଜର ସାଂସଦ ଓ ସଦସ୍ୟଙ୍କୁ ସୋମବାର ଦିଲ୍ଲୀରେ ହିଁ ରହିବାକୁ ନିର୍ଦ୍ଦେଶ ଦେଇଛି।