fbpx

ଅଭିନୟ ଜଗତରେ ପାଦ ଥାପିଲେ ବିଜେଡିର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ନୂଆ ରୂପରେ ଆସୁଛନ୍ତି ବିଜେଡିର ଟାଣୁଆ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ । ରାଜନେତାରୁ ଏବେ ସେ ପାଲଟି ଯାଇଛନ୍ତି ଅଭିନେତା । ରାଜନୀତିରେ ଅପୂର୍ବ ସଫଳତା ପରେ ଏବେ ସେ ସିନେମା ଜଗତରେ ପାଦ ଥାପିଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ସେ ନିଜ ଚରିତ୍ର ନିଭାଇବେ ବୋଲି ଜଣାପଡିଛି ।

ନିଜ ଭୂମିକାରେ ନିଜେ ଅଭିନୟ କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । “ବଡମା’ ଟାଇଟଲରେ ତିଆରି ହେଉଥିବା ଏକ ସିନେମାରେ ସେ ନଜର ଆସିବେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା । ଏହି ସିନେମାକୁ ନିର୍ଦ୍ଦେଶନା ଦେଉଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି । ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ, ସ୍ୱର୍ଗତ ପାର୍ବତୀ ଗିରି ଓ ସେତେବେଳେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ଏକ ଆଲୋଚନାକୁ ଏହି ଫିଲ୍ମରେ ସ୍ଥାନ ଦିଆଯାଇଛି । ସେହି ସମୟରେ କ୍ୟାବିନେଟ ପଦରେ ଥିଲେ ପ୍ରସନ୍ନ ଅଚାର୍ଯ୍ୟ । ତେବେ ଏହି ଦୃଶ୍ୟରେ ପ୍ରସନ୍ନ ଆଚାର୍ଯ୍ୟ ନିଜେ କ୍ୟାବିନେଟ ମନ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି । ବର୍ତମାନ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଏଥିରେ ଅଭିନୟ କରି ନିଜ ଛାତ୍ର ଜୀବନକୁ ମନେ ପକାଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ରାଜନୀତିର ଏହି ଦକ୍ଷ ଓ ଟାଣୁଆ ନେତାଙ୍କୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏକ ନୂଆ ଚିନ୍ତାଧାରା ଏବଂ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି । ତେବେ ଫିଲ୍ମ ‘ବଡମା’ ଜରିଆରେ ପଶ୍ଚିମ ଓଡିଶାର ବହୁ ଅନାଲୋଚିତ ସ୍ୱାଧିନତା ସଂଗ୍ରାମୀଙ୍କ ସଂପର୍କରେ ଅବଗତ ହୋଇପାରିବେ ଓଡିଶାର କୋଟି କୋଟି ଦର୍ଶକ ।

Get real time updates directly on you device, subscribe now.