fbpx

ଯୋଗାଣ ବୃଦ୍ଧି ପରେ ଖାଇବା ତେଲ ମୂଲ୍ୟରେ ୧୫ ଟଙ୍କା ହ୍ରାସ, ଆଗକୁ ଆହୁରି ଶସ୍ତା ହେବ ବୋଲି ଆଶା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରମୁହାଁ ରହିଛି। ଏଭଳି ସମୟରେ ବ୍ରାଣ୍ଡେଡ୍ କମ୍ପାନୀ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁସାରେ କମ୍ପାନୀ ସୋୟା, ପାମ୍ ଏବଂ ସୁର୍ଯ୍ୟମୁଖୀ ତେଲର ଦାମ୍ ପ୍ରତି ଲିଟର ୧୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ମାସର ଶେଷକୁ ତେଲ ଆମଦାନୀ ସହଜ ହେବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛନ୍ତି। କମ୍ପାନୀ ଗୁଡ଼ିକ କହିଛନ୍ତି ଯେ, ମେ ତୁଳନାରେ ଜୁନ୍ ମାସରେ ଚାହିଦା ବଢ଼ିବା ସହିତ ଆମଦାନୀରେ ମଧ୍ୟ ବୃଦ୍ଧି ପାଇବ। ଏହି କାରଣରୁ ଆଗାମି ସମୟରେ ତେଲ ଦରରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।

ଇଣ୍ଡିଆନ୍ ଅଏଲ୍ ଭେଜିଟେବଲ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ର ଅଧ୍ୟକ୍ଷ ସୁଧାକର ରାୟ ଦେଶାଇ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଖାଇବା ତେଲର ଦାମ ହ୍ରାସ ପାଇଛି । ଏହି କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆମେ ଏହାର ଫାଇଦା ଗ୍ରାହକଙ୍କୁ ଦେଉଛୁ। ତେବେ ଯେଉଁ କେତେକ ପ୍ରିମିୟମ ବ୍ରାଣ୍ଡ ରହିଛନ୍ତି ସେ ଏହାର ଫାଇଦା ଲୋକଙ୍କୁ ଦେବାକୁ କିଛି ସମୟ ଲଗାଇ ପାରନ୍ତି।

ତେଲ କମ୍ପାନୀମାନେ ପାମ୍ ତେଲର ମୂଲ୍ୟ ୭ରୁ ୮ ଟଙ୍କା ଏବଂ ସୁର୍ଯ୍ୟମୁଖୀ ତେଲର ଦାମରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ସେହିଭଳି ସୋୟାବିନ ତେଲର ଦାମ୍ ୫ ଟଙ୍କା ହ୍ରାସ କରିଛନ୍ତି। ସମସ୍ତ ତେଲର ଖୁଚୁରା ମୂଲ୍ୟ(ଏମଆରପି) ମଧ୍ୟ ହ୍ରାସ ପାଇଛି। ତେବେ ନୂଆ ଏମଆରପି ପ୍ରିଣ୍ଟ୍ ପ୍ୟାକେଟ୍ ଆଗାମୀ ସପ୍ତାହରୁ ବଜାରରେ ଉପଲବ୍ଧ ହେବ। ଦେଶାଇ ସୂଚନା ଦେଇଛନ୍ତି ଯେ, ମେ ମାସରେ ୧୦ରୁ ୧୧ ଲକ୍ଷ ଟନ୍ ଅଧିକ ତେଲ ଆମଦାନୀ ହୋଇଥିଲା। ସେହିପରି ଜୁନ୍‌ମାସରେ ୯ରୁ ୧୦ ଲକ୍ଷ ଟନ୍ ଆମଦାନୀ ହୋଇପାରେ।

ବିଶେଷଜ୍ଞଙ୍କ ଅନୁଯାୟୀ, ତୈଳ ମୂଲ୍ୟରେ ହ୍ରାସ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ସିଧାସଳଖ ପ୍ରଭାବ ପକାଇବ, ଯାହା ବର୍ତ୍ତମାନ ସମୟରେ ଅଧିକ ରହିଛି। ମେ ମାସରେ ମୁଦ୍ରାସ୍ଫୀତିରେ ଖାଇବା ତେଲ ଏବଂ ସବୁଜ ପନିପରିବାର ଅବଦାନ ୧୩.୨୬ ପ୍ରତିଶତରୁ ଅଧିକ ଥିଲା, କାରଣ ଏହାର ମୂଲ୍ୟ ଏକ ବର୍ଷରେ ତୀବ୍ର ବୃଦ୍ଧି ପାଇଥିଲା। କିଛି ସମୟ ପାଇଁ କେନ୍ଦ୍ର ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ କରିଥିଲେ, ଯାହା ତେଲର ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥିଲା। ଉପଭୋକ୍ତା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୋୟା ତେଲର ମୂଲ୍ୟ ୧୭୦.୨୭ ରୁ ୧୬୮.୫୭ ଟଙ୍କା ଏବଂ ପାମ ତେଲର ମୂଲ୍ୟ ୧୫୮.୬୧ ରୁ ୧୫୪.୪୨ ଟଙ୍କାକୁ ଖସି ଆସିଛି।

Get real time updates directly on you device, subscribe now.