ପୂରଣ କଲେ ନିର୍ବାଚନୀ ପ୍ରତିଶ୍ରୁତି, ୧ ଜୁଲାଇରୁ ମିଳିବ ମାଗଣା ବିଜୁଳି

ଅମୃତସର: ଆମ୍ ଆଦମୀ ପାର୍ଟୀ ସରକାର ସୋମବାର ପଞ୍ଜାବ ବିଧାନସଭାରେ ପ୍ରଥମ ବଜେଟ୍ ଉପସ୍ଥାପିତ କରିଛନ୍ତି । ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମା ବଜେଟ ଉପସ୍ଥାପନ କରିଥିଲେ । ଏହି ସମୟରେ ହରପାଲ ସିଂହ ଘୋଷଣା କରିଛନ୍ତି ଯେ ରାଜ୍ୟରେ ୧  ଜୁଲାଇ ଠାରୁ ମାଗଣା ବିଜୁଳି ନେଇ ଦିଆଯାଇଥିବା ପ୍ରତିଶ୍ରୁତି କରାଯିବ । ଚଳିତ ବର୍ଷ ବିଜୁଳି ସବସିଡି ଉପରେ ୬,୯୪୭ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟକୁ ୧୨୫୫୩ କୋଟିର ରାଜସ୍ୱ ହାନି ହେବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପଞ୍ଜାବର ପ୍ରତି ଘରକୁ ୧ ଜୁଲାଇ ଠାରୁ ପ୍ରତିମାସରେ ୩୦୦ ୟୁନିଟ୍ ବିଜୁଳି ମାଗଣା ମିଳିବ । ସରକାର ଏହି ଯୋଜନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ଏହା ପୂର୍ବରୁ ଚୀମା ବଜେଟ୍ ଭାଷଣ ପୂର୍ବରୁ କହିଛନ୍ତି ଯେ ପଞ୍ଜାବ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଭ୍ରଷ୍ଟାଚାର ମୁକ୍ତ ଶାସନ ପ୍ରଦାନ କରିବା ଏବଂ ରାଜ୍ୟର ଜନସାଧାରଣଙ୍କ ପାଇଁ ପ୍ରତି ଟଙ୍କା ଖର୍ଚ୍ଚ ହେବ ।

ମାନ୍ ସରକାରଙ୍କ ବଜେଟରେ ୧୬% ସ୍କୁଲ ଏବଂ ଉଚ୍ଚଶିକ୍ଷା ବିକାସ ପାଇଁ ଖର୍ଚ୍ଚ ହେବ । ଚିକିତ୍ସା ଶିକ୍ଷା ସହ ଜ୍ଞାନକୌଶଳ ଶିକ୍ଷା ପାଇଁ ବଜେଟ୍ ଯଥାକ୍ରମେ ୪୭% ଏବଂ ୫୭% ରହିଛି । ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନ ପାଇଁ ୬୦,୪୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟର ସବୁ ଜିଲ୍ଲାରେ ସାଇବର ଅପରାଧ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଉଲ୍ଲେଖଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ପ୍ରତି ଘରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କେଜ୍ରିୱାଲ କହିଥିଲେ ଏହା ପାର୍ଟୀର ପ୍ରଥମ ଗ୍ୟାରେଣ୍ଟି । ଏହାପରେ ପଞ୍ଜାବ ସରକାର ଗଠନ ପରେ ମୁଖ୍ୟମନ୍ତୀ ଭଗୱନ୍ତ ମାନ୍ ପ୍ରଥମେ ବେକାରୀ ସମସ୍ୟା ଉପରେ ନିଷ୍ପତ୍ତି ନେଇଥିଲେ ଏବଂ ଘୋଷଣା କରିଥିଲେ ଯେ ସରକାରୀ କାର୍ଯ୍ୟାଳୟରେ ୨୫ ହଜାର ନିଯୁକ୍ତି କରାଯିବ ।

ସୂଚନାଯୋଗ୍ୟ, ପଞ୍ଜାବ ପୂର୍ବରୁ ହିଁ ପ୍ରାୟ ତିନି ଲକ୍ଷ କୋଟି ଟଙ୍କାର ଋଣରେ ରହିଛି । ରାଜ୍ୟ ବଜାର ଋଣ ଭାବରେ ୩୧୮୦୪.୯୯ କୋଟି ଟଙ୍କା ସଂଗ୍ରହ କରିଛି । ଋଣ ଉପରେ ସୁଧ ୨୦୧୨୨ କୋଟି ଟଙ୍କା ଖର୍ଚ୍ଚ ହେବ । ପଞ୍ଜାବ ସରକାର ଚିକିତ୍ସା ଶିକ୍ଷା ପାଇଁ ୧୦୩୩ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ଯାହା ଆର୍ଥିକ ବର୍ଷରେ ୨୦୨୧-୨୨ ତୁଳନାରେ ୫୬.୬% ଅଧିକ ।