ପୁଣି ଆରମ୍ଭ ହେଲା ଚାଷୀ ଆତ୍ମହତ୍ୟା! ଜୀବନ ନେଉଛି ଋଣ ଭାର

ବିନିକା: ରାଜ୍ୟରେ କିଛି ଦିନର ବିରତୀ ପରେ ପୁଣି ଦେଖାଯାଇଛି ଚାଷୀ ଆତ୍ମହତ୍ୟା ଘଟଣା । ବିଭିନ୍ନ ପ୍ରକାର ସମସ୍ୟା ଏବଂ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ ଏବେ ଆତ୍ମହତ୍ୟା ବାଟକୁ ନିଜର କରି ନେଉଛନ୍ତି । ବିଶେଷ କରି ଋଣ ଭାର ଚାଷୀମାନଙ୍କ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଫଳରେ ଆତ୍ମହତ୍ୟା ସେମାନଙ୍କ ପାଇଁ ଶେଷ ଉପାୟକ ପାଲଟିଛି ।

ସୂଚନା ଅନୁସାରେ, ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗାଁରେ ଚାଷୀ ଆତ୍ମହତ୍ୟା ନେଇ ଅଭିଯୋଗ ହୋଇଛି । ପରିବାରର ଅଭିଯୋଗ ଅନୁସାରେ ଚାଷୀଙ୍କ ଆତ୍ମହତ୍ୟାର କାରଣ ଋଣ ଭାର ବୋଲି ଦର୍ଶାଯାଇଛି । ବ୍ୟାଙ୍କ ଋଣ ଏବଂ ହାତ ଉଧାରୀରେ ବୁଡି ରହିଥିଲେ ଗ୍ରାମର ଜଣେ ଚାଷୀ ଭଗବାନ ଜୁଆଡି । ଗତକାଲି ବିଷ ପିଇ ଗୁରୁତର ହୋଇଥିଲେ ଭଗବାନ । କିନ୍ତୁ ଆଜି ଚିକିତ୍ସିତ ଅବସ୍ଥାରେ ବୁର୍ଲା ମେଡିକାଲରେ ପ୍ରାଣ ହରାଇଛନ୍ତି । ପାଖାପାଖି ୮ ଲକ୍ଷ ଟଙ୍କାର ଋଣ ତାଙ୍କ ମୁଣ୍ଡ ଉପରେ ଥିବା ସୂଚନା ମିଳିଛି ।

ତେବେ ପୋଲିସକୁ ପରିବାରର ଲୋକେ ଅଭିଯୋଗ କରିଛନ୍ତି ଯେ, କାଲି ବିଲକୁ ତଳି ପକାଇବାକୁ ଯାଉଥିବା ବେଳେ ବିଷ ପିଇ ଦେଇଥିଲେ ଭଗବାନ । ବ୍ୟାଙ୍କରୁ ଆଣିତିବା ଋଣ ଏବଂ ହାତ ଉଧାରିକୁ ଫେରାଇବା ପାଇଁ ଅସମର୍ଥ ଅନୁଭବ କରିବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି କଥାକୁ ନେଇ କିଛି ଦିନରୁ ଚିନ୍ତାରେ ରହିଥିଲେ ଚାଷୀ ଭଗବାନ ଜୁଆଡି ।