fbpx

ମହାରାଷ୍ଟ୍ର ବିଧାନସଭାରେ ସଂଗ୍ରାମ, ଏକନାଥ ସିନ୍ଦେ ଗୋଷ୍ଠୀ ସିଲ୍ କଲେ ଶିବସେନାର କାର୍ଯ୍ୟାଳୟ

ମୁମ୍ଵାଇ: ମହାରାଷ୍ଟ୍ର ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀ ଏଠାରେ ବିଧାନ ଭବନରେ ବିଧାୟକ ଦଳର କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି। କାର୍ଯ୍ୟାଳୟ ବାହାରେ ମରାଠୀରେ ଏକ ନୋଟିସ୍ ମରା ଯାଇଛି। ଏଥିରେ ଲେଖା ହୋଇଛି, ଏହି କାର୍ଯ୍ୟାଳୟ ଶିବସେନା ବିଧାୟକ ଦଳର କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁସାରେ ବନ୍ଦ ହୋଇଛି।

ମହାରାଷ୍ଟ୍ରରେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟି(ବିଜେପି) ସହଯୋଗରେ ଗଠିତ ନୂତନ ସରକାର ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବେ। ମହାରାଷ୍ଟ୍ର ବିଧାନସଭାରେ ଆଜିଠୁ ଦୁଇ ଦିନିଆ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଆଉ ଏକନାଥଙ୍କ ନେତୃତ୍ଵାଧୀନ ସରକାରକୁ ମିଳିଛି ପ୍ରଥମ ବିଜୟ। ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଛନ୍ତି।

ଆଜି ପ୍ରଥମ ଥର ପ୍ରାୟ ୧୩ ଦିନ ପରେ ସିନ୍ଦେ ଏବଂ ଠାକରେ ଗୋଷ୍ଠୀ ସାମ୍ନା ସାମ୍ନି ହୋଇଛନ୍ତି। ସିନ୍ଦେଙ୍କ ନିକଟରେ ଶିବସେନାର ୩୯ ବିଧାୟକଙ୍କ ସମର୍ଥନ ରହିଛି। ସେପଟେ ଠାକରେଙ୍କ ପାଖରେ ମାତ୍ର ୧୬ ବିଧାୟକ ବଳକା ରହିଛନ୍ତି। ବହୁ ନାଟକୀୟ ଘଟଣାକ୍ରମେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଦେବେନ୍ଦ୍ର ଫଡଣବିସ ହାଇକମାଣ୍ଡଙ୍କ ଅନୁରୋଧକ୍ରମେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି।

 

Get real time updates directly on you device, subscribe now.