fbpx

ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ, ରାସ୍ତାରେ ଲହଡି ମାରୁଛି ପାଣି, ଟ୍ରେନ୍ ସେବା ଠପ୍

ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ମଙ୍ଗଳବାର ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ଫଳରେ ଟ୍ରେନ୍ ସହ ଗାଡ଼ି ମୋଟର ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଚାରି ଦିନ ପାଇଁ ମହାରାଷ୍ଟ୍ର ପାଇଁ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରିଛି ।

ବର୍ଷା ଯୋଗୁଁ ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ମୁମ୍ବାଇ ଲୋକାଲ ଟ୍ରେନ୍ ପ୍ରଭାବିତ ହୋଇଛି । ରେଳଧାରଣରେ ପାଣି ଭର୍ତ୍ତି ହେବା ଯୋଗୁଁ ଟ୍ରେନ୍ ଯାତାୟତରେ ବାଧା ସୃଷ୍ଟି ହୋଇଛି । ମଧ୍ୟ ରେଳବାଇର ସାୟନ, କୁର୍ଲା, ତିଲକ ନଗର ଏବଂ ୱଡାଲାରେ ରେଳଧାରଣାରେ ପାଣି ଜମିବା ଯୋଗୁଁ ଟ୍ରେନ୍୍ ଯାତ୍ରା ବାଧାପ୍ରାପ୍ତ ହୋଇଛି । ସେହିଭଳି ରାସ୍ତାରେ ଉପରେ ପାଣି ଲହଡ଼ି ମାରୁଛି, ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ଥିତି ପରଖିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକୀୟ ସଚେତନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟାରେ ପୀଡ଼ିତ ପ୍ରାୟ ସାଢ଼େ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୂଯାୟୀ ପ୍ରବଳ ବର୍ଷାକୁ ଦେଖି ଏନଡିଆରଏଫକୁ ମଧ୍ୟ ଆଲର୍ଟରେ ରଖାଯାଇଛି ।

 

Get real time updates directly on you device, subscribe now.