fbpx

ବଢୁଛି ଏସିଡ ଫ୍ଲାଏ ସଂକ୍ରମଣ: ସିକିମ ପରେ ଉତ୍ତର ପଶ୍ଚିମବଙ୍ଗରେ ଦେଖାଗଲା ଆତଙ୍କ

ନୂଆଦିଲ୍ଲୀ: ବିଷାକ୍ତ କୀଟ ଏସିଡ ଫ୍ଲାଏ ବା ନେରୋବୀ ଫ୍ଲାଏର ସଂକ୍ରମଣ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ବଢିବାରେ ଲାଗିଛି । ଦାର୍ଜିଲିଂ ଜିଲ୍ଲା ପ୍ରଶାସନ ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି । ଏସିଡ ଫ୍ଲାଏ ଦ୍ୱାରା ବ୍ୟାପୁଥିବା ଏହି ସଂକ୍ରମଣ ପ୍ରଥମ ଥର ପାଇଁ ସିକିମରେ ଦେଖା ଯାଇଥିଲା । ପରେ ଏହି ସଂକ୍ରମଣ ନିକଟସ୍ଥ ସମସ୍ତ ଅଞ୍ଚଳକୁ ବ୍ୟାପିଥିଲା । ସିଲିଗୁଡ଼ିରେ ଥିବା ଉତ୍ତର ପଶ୍ଚିମବଙ୍ଗ ବିଶ୍ୱବିଦ୍ୟାଳୟର ପାଖାପାଖି ୧୦୦ ଛାତ୍ର ଏହି ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଅବସ୍ଥା ଗମ୍ଭୀର ହେଉଥିବାରୁ ଅନେକ ଛାତ୍ର ଛାତ୍ରବାସ ଛାଡ଼ି ଘରମୁହାଁ ହେଲେଣି ।

ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ବିଷାକ୍ତ କୀଟ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରଥମଥର ପାଇଁ ସିକିମରେ ଦେଖା ଯାଇଥିଲା । ମୁଖ୍ୟତଃ ଶିଶୁ ଏବଂ ସମ୍ବେଦନଶୀଳ ତ୍ୱଚା ଥିବା ଲୋକ ଏହି ବିଷାକ୍ତ କୀଟ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଲୋକମାନେ ହାତକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖୁଥିବା ପୋଷାକ ପିନ୍ଧିବା ସହିତ ସନ୍ଧ୍ୟା ସମୟରେ ଘରୁ ନବାହାରିବା ଏବଂ ମଶାରୀ ବ୍ୟବହାର କରିବା ପାଇଁ ଦାର୍ଜିଲିଂର ମୁଖ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ଏସ. ପୋନ୍ନମ୍ବଲମ ପରାମର୍ଶ ଦେଇଛନ୍ତି । ସେହିପରି ସଂକ୍ରମଣ ମାମଲାରେ ଲୋକମାନଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ ମଧ୍ୟ କୁହାଯାଇଛି ।

ଦାର୍ଜିଲିଂରେ ବର୍ତ୍ତମାନ ସୁଦ୍ଧା ଏସିଡ ଫ୍ଲାଏ କାମୁଡ଼ିବାର ୩-୪ ଟି ମାମଲା ସାମ୍ନାକୁ ଆସିଥିବା ଦାର୍ଜିଲିଂ ଜିଲ୍ଲା ଚିକିତ୍ସାଳୟର ଅଧିକାରୀ ସୂଚନା ଦେଇଛନ୍ତି । ଏହି ସଂକ୍ରମଣକୁ ନେଇ ଆତଙ୍କିତ ନହେବା ପାଇଁ ମଧ୍ୟ କୁହାଯାଇଛି । ସେହିପରି ସଂକ୍ରମଣକୁ ଖୁବଶୀଘ୍ର ନିୟନ୍ତ୍ରଣକୁ ଅଣାଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.