ନୂଆଦିଲ୍ଲୀ: ଆପ ଆଦାରିତ କ୍ୟାବ ସର୍ଭିସ Olaର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । କମ୍ପାନୀର ମାନ୍ଦାବସ୍ଥା ଆସିଥିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏବେ ସମୟ ବଦଳ ସାରିଛି, କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରୁଥିବା ଜାଣିବାକୁ ମିଳୁଛି । ଏପରିକି କର୍ମଚାରୀମାନଙ୍କ ଦରମାରେ ମଧ୍ୟ କମ୍ପାନୀ ବୃଦ୍ଧି କରିନାହିଁ । ତେଣୁ କମ୍ପାନୀ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ମୁତାବକ, ଓଲା ପ୍ରାୟ ୫୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ନେଇ ଯୋଜନା ଆରମ୍ଭ କରିଛି । ତେବେ ଫଣ୍ଡ ଏକଜୁଟ କରିବା ପାଇଁ ସଂଘର୍ଷ କରୁଥିବା ବେଳେ ଏଥିରୁ ସାମାନ୍ୟ ମୁକ୍ତି ପାଇବା ପାଇଁ ସେ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିପାରେ । ଏବେ କମ୍ପାନୀରେ ମୋଟ ୧୧୦୦ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।
ଏହାବ୍ୟତୀତ ସଫ୍ଟବ୍ୟାଙ୍କରୁ ଫଣ୍ଡିଂ ପାଉଥିବା ଓଲା ବ୍ୟବସାୟରେ ପ୍ରଫିଟ ପାଇଁ ଟିମକୁ ଛୋଟ କରିବା ନେଇ ଚିନ୍ତା କରୁଛି । ଯାହା ଫଳରେ କର୍ମଚାରୀମାନଙ୍କ ବାର୍ଷିକ ଦରମା ବୃଦ୍ଧିକୁ ମଧ୍ୟ ରୋକ ଲଗାଇ ଦିଆଯାଇଛି । ତେବେ ଏ ନେଇ ଏକ ଇଣ୍ଟରନାଲ କମ୍ୟୁନିକେସନରେ ଏଚ.ଆର ମୁଖ୍ୟ ବାଲାଚନ୍ଦର ଏନ ଲେଖିଛନ୍ତି ଯେ, ଆମେ ଜାଣୁ ଆପଣମାନେ ବାର୍ଷିକ ଦରମା ବୃଦ୍ଧିକୁ ନେଇ ଚିନ୍ତା କରୁଛନ୍ତି । କିନ୍ତୁ ଆପଣମାନେ ଜାଣନ୍ତି ଆମେ ନିଜ ବ୍ୟବସାୟକୁ ପୁନର୍ଗଠନ କରିବାକୁ ଯାଉଛୁ । ତେବେ ଏହି ସ୍ୱପ୍ନ ସାକାର ହେବା ପରେ ପୁଣିଥରେ ଦରମା ବୃଦ୍ଧ ଉପରେ ଆଲୋଚନା କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।
ତେବେ ବିଦ୍ୟୁତ ଚାଳିତ ଯାନବାହନ ଉପରେ ରହିଛି ଓଲାର ନଜର । ଏଥି ପାଇଁ କମ୍ପାନୀ ଅନେକ କାରବାର ବନ୍ଦ କରିଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଜୋମାଟୋ,ବ୍ଲିଙ୍କଇଟ, ସ୍ୱିଗି ଭଳି କମ୍ପାନୀ ଇନଷ୍ଟାଣ୍ଟ ଡେଲିଭରୀ ଉପରେ ନଜର ପକାଇଛି କମ୍ପାନୀ । ସେପଟେ କ୍ୱିକ କମର୍ସ ବିଜନେସ ଓଲାଡାସ ମଧ୍ୟ କମ୍ପାନୀ ବନ୍ଦ କରିବାକୁ ଯାଉଛି ।