fbpx

ରାଜ୍ୟର ସ୍କୁଲ ପାଠପଢ଼ାରେ ସାମିଲ ହେବ ବାଲ୍ୟ ବିବାହ: ଅନୁସୂଚିତ ଜାତି ଓ ଜନଜାତି ସ୍ୱତନ୍ତ୍ର ସଚିବଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ବାଲ୍ୟ ବିବାହ ପ୍ରଥା । ପିଲାମାନେ ବାଲ୍ୟ ବିବାହର ଅପକାରିତା ବିଷୟରେ ଜାଣିବା ଫଳରେ ସେମାନେ ଏହି ପ୍ରଥାକୁ ହଟାଇବା ନେଇ ଅଭିଯାନ ଆରମ୍ଭ କରିବେ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ପାଠ୍ୟକ୍ରମରେ ବାଲ୍ୟ ବିବାହ ନିରୋଧ ଆଇନ୍ ଉପରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ହୋଇଛି ।

ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ପତ୍ର ଲେଖାଯାଇ ବିହିତ ପଦକ୍ଷେପ ନେବାକୁ କୁହାଯାଇଛି । ପିଲାମାନେ ବାଲ୍ୟ ବିବାହ ସମ୍ପର୍କରେ ସଚେତନ ହେଲେ ସେମାନେ ନିଜ ପିତାମାତା, ପରିବାର ସଦସ୍ୟ ଓ ସମାଜରେ ସଚେତନ ସୃଷ୍ଟି କରିପାରିବେ । ତେଣୁ ଏହି ପ୍ରଥାକୁ ପାଠ୍ୟକ୍ରମରେ ସାମିଲ କରାଯିବା ଜରୁରୀ । ପିଲାମାନଙ୍କୁ ବାଲ୍ୟ ବିବାହ ନିରୋଧ ଆଇନ-୨୦୦୬ରେ ଥିବା ଆଇନ ବିଷୟରେ ଅବଗତ କରାଯିବ ।

ଆଇନ ଅନୁଯାୟୀ କି ପ୍ରକାର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ପିଲାମାନେ ଜାଣିବେ । ବାଲ୍ୟ ବିବାହ ଫଳରେ କ’ଣ ସବୁ ସମସ୍ୟା ସୃଷ୍ଟି ହେଉଛି, ତା’ର କୁପ୍ରଭାବ ବିଷୟରେ ପିଲାମାନେ ନିଜେ ଅବଗତ ହେବା ସହ ଅନ୍ୟମାନଙ୍କୁ ଜଣାଇବେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ରାଜ୍ୟରେ ୨୦ ପ୍ରତିଶତରୁ ଅଧିକ ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ଅଧିକ ରହିଛି । ସହରାଞ୍ଚଳରେ ଏହି ହାର ୧୪ ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ରହିଛି ୨୧ ପ୍ରତିଶତ । ୧୩ ପ୍ରତିଶତ ପୁଅ ୨୧ ବର୍ଷ ପୂର୍ବରୁ ବିବାହ କରୁଛନ୍ତି ।

Get real time updates directly on you device, subscribe now.