fbpx

ବଲାଙ୍ଗିର-ସୋନପୁର ମର୍ମନ୍ତୁଦ ଦୁର୍ଘଟଣା: ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ଚାକିରିରୁ ବହିଷ୍କାର କଲେ DGP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ମାମଲାରେ ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଇନ୍ସପେକ୍ଟର ସୁନାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । କାର ଚଳାଉଥିବା ଡ୍ରାଇଭର ଅଜୟ ସେଠୀଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ପୀଡ଼ିତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଡ୍ରାଇଭର ଓ ଇନ୍ସପେକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଗତ ୧୨ ତାରଖ ଭୋର ୪ଟା ସମୟରେ ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଏକ ଅଟୋ ବ୍ୟବସାୟୀ ଓ ବାଇକ ଚାଳକ କଥା ହେଉଥିବା ସମୟରେ ସମ୍ମୁଖରେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ତିନିଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ୬ ଜଣ ଗୁରୁତର ଆହତ ହୋଇଥିଲେ । ତେବେ କାରଟି ମହିଳା ଇନ୍ସପେକ୍ଟରଙ୍କ ନାଁରେ ଥିବା ଜଣାପଡ଼ିଥିଲା ।

ଦୁର୍ଘଟଣାଗ୍ରସ୍ତ କାରରୁ ଜଣେ ୩ ଷ୍ଟାର ଇନ୍ସପେକ୍ଟରଙ୍କ ପୋଷାକ ମିଳିଥିଲା । ପରେ ମହିଳା ଇନ୍ସପେକ୍ଟର ଓ ଡ୍ରାଇଭର ଧରାପଡ଼ିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଦୁର୍ଘଟଣାର ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.