fbpx

ପ୍ରବଳ ବର୍ଷା କାହିଁକି ହେଉଛି, ବାଦଲ ଫାଟିବା ପଛରେ ବିଦେଶୀ ଶକ୍ତିର ଷଡ଼ଯନ୍ତ୍ର: KCR

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ସହ ତେଲେଙ୍ଗାନାରେ ପ୍ରବଳ ବର୍ଷା ଜାରି ରହିଛି । ଏହାଫଳରେ ରାଜ୍ୟର ବହୁ ଅଞ୍ଚଳ ପାଣି ଘେରରେ ରହିଛି । ଗୋଦାବରୀ ନଦୀ ସମେତ କିଛି ନଦୀର ଜଳସ୍ତର ବୃଦ୍ଧି ସମସ୍ତଙ୍କ ପାଇଁ ଆଶଙ୍କା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ବିମାନରେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ବନ୍ୟାଞ୍ଚଳ ଗସ୍ତ କରିବା ଅବସରରେ କେସିଆର ଏକ ବୈଠକରେ ସମ୍ବୋଧନ କରିଥିଲେ । ଉକ୍ତ ବୈଠକରେ କେସିଆର ଏକ ଅଜବ ଧରଣର ମନ୍ତବ୍ୟ ଦେଇଥିଲେ । କେସିଆର କହିଥିଲେ, ରାଜ୍ୟରେ ବର୍ଷା ହେବା ପଛରେ ବିଦେଶୀ ଶକ୍ତିର ହାତ ରହିଥିବା ଆଶଙ୍କା କରାଯାଉଛି । ବାଦଲ ଫାଟିବା ପରି ଏକ ନୂଆ କଥା ଏବେ ସାମ୍ନାକୁ ଆସିଛି । ଏହା କେତେଦୂର ଠିକ୍ ତାହା ମୋତେ ଜଣା ନାହିଁ ।

ମୋତେ ଲାଗୁଛି ଦେଶ ବାହାରର କିଛି ଶକ୍ତି ବାଦଲ ଫାଟିବା ଘଟଣା ଭିଆଇ ନିଜର ପ୍ରତିଶୋଧ ନେଉଛନ୍ତି । ପୂର୍ବରୁ ଲଦାଖ ନିକଟସ୍ଥ ଲେହ, ଉତ୍ତରାଖଣ୍ଡରେ ଏହି ଅବସ୍ଥା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଗୋଦାବରୀ ବେସିନରେ ବାଦଲ ଫାଟିବା ଘଟଣା ଦେଖାଯାଇଛି । ତେବେ ପାଣିପାଗ ପରିବର୍ତ୍ତନ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଆମକୁ ଲୋକଙ୍କ ସହିତ ରହି ସେମାନଙ୍କୁ ରକ୍ଷା କରିବା ଆବଶ୍ୟକ ।

ରାଜ୍ୟର ବନ୍ୟା ପୀଡ଼ିତଙ୍କ ପାଇଁ ଉଚ୍ଚସ୍ଥାନରେ ସ୍ଥାୟୀ କଲୋନୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଏକ ହଜାର କୋଟି ଅର୍ଥ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରକୁ ତକ୍ରାଳ ସହାୟତା ରାଶି ସ୍ୱରୂପ ୧୦ ହଜାର ଟଙ୍କା ଦିଆଯିବ । ଏଥିସହିତ ୨ ମାସ ପାଇଁ ପ୍ରତ୍ୟେକ ପରିବାରକୁ ୨୦ କେଜି ଚାଉଳ ଓ ଅନ୍ୟ ସାହାଯ୍ୟ ଯୋଗାଇ ଦିଆଯିବ । କୃଷକଙ୍କ ଫସଲ କ୍ଷୟକ୍ଷତିର ସମୀକ୍ଷା କରାଯିବା ସହ ପ୍ରଭାବିତ କୃଷକଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.