fbpx

ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ: ଦୀର୍ଘ ୨୯ ବର୍ଷ ପରେ ସ୍ୱପ୍ନ ହେଲା ପୂରଣ, ଦେଓ – ସୁବର୍ଣ୍ଣରେଖା ପ୍ରକଳ୍ପର ଲୋକାର୍ପଣ କରିବେ ନବୀନ

ଭୁବନେଶ୍ୱର/କରଞ୍ଜିଆ, (ଭାସ୍କର ନ୍ୟୁଜ୍‌) : ଦୀର୍ଘ ୨୯ ବର୍ଷ ପରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ତାଙ୍କ ସୁୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକ୍‌ର ଟିକପଦା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ଜିଲ୍ଲା ବିଜେଡ଼ି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଦେଓ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ । ଦୀର୍ଘ ୨୯ ବର୍ଷ ପରେ ଏହି ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଥିବାରୁ ଏହାକୁ ନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଦେଓ ପ୍ରକଳ୍ପଟି ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ୨ ପାହାଡ଼କୁ ବନ୍ଧ ବାନ୍ଧି ଜଳସେଚନ କରିବା ପାଇଁ ଯୋଜନା କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ୧୯୯୨ ମସିହା ଅପ୍ରେଲ୍‌ ୨୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପଟିର ପ୍ରାଥମିକ ବ୍ୟୟ ମୂଲ୍ୟ ୫୨ କୋଟି ରହିଥିବା ବେଳେ ବର୍ତ୍ତମାନ ଏହା ୯୪୧ କୋଟି ଟଙ୍କାରେ ପହଞ୍ଚିଛି । ଏହି ନଦୀ ବନ୍ଧର ବାମପାଶ୍ୱର୍ ମୁଖ୍ୟ କେନାଲର ଦୈର୍ଘ୍ୟ ୨୫.୨୦ କି.ମି. ଓ ଦକ୍ଷିଣ ପାଶ୍ୱର୍ର ଦୈର୍ଘ୍ୟ ୩୨.୬୯ କି.ମି. । ଏହି ପ୍ରକଳ୍ପ ଦ୍ୱାରା ୯୯ଶହ ହେକ୍ଟର ଜମି ଜଳସେଚିତ ହେବା ସହିତ ୧୦୦ଟି ଗ୍ରାମର ୧ ଲକ୍ଷ ୭୮ ହଜାର ୫୧୭ ଲୋକ ଉପକୃତ ହେବେ । ବିସ୍ଥାପିତ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ଶେଷ ହେବାରେ ବିଳମ୍ବ ହୋଇଥିଲା । ୫-ଟି ସଚିବ, ମୁଖ୍ୟ ଶାସନ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗର ମିଳିତ ଉଦ୍ୟମ ଫଳରେ ଏହି ପ୍ରକଳ୍ପ ଶେଷ ହେବା ସମ୍ଭବ ହୋଇଛି ।

Get real time updates directly on you device, subscribe now.