fbpx

ନଭେମ୍ବର ୮ରୁ ଆରମ୍ଭ କଟକ ବାଲିଯାତ୍ରା: ୧୦୦ ଏକର ପରିମିତ ଜାଗାରେ ହେବ ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କଟକର ଐସିହାସିକ ବାଲିଯାତ୍ରା । ପ୍ରାୟ ୧୦୦ ଏକର ପରିମିତ ସ୍ଥାନରେ ଯାତ୍ରାର ଆୟୋଜନ କରାଯିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିବର୍ଷ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ୧୭ଟି ସାଂସ୍କୃତିକ ଦଳଙ୍କୁ ସାମିଲ କରାଯିବ । ଉତ୍ସବ ଆୟୋଜ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବ ।

ଦର୍ଶକମାନେ ବାଲିଯାତ୍ରାରେ ବୁଲିବା ସହ ମହାନଦୀରେ ଜଳକ୍ରୀଡ଼ାର ମଜା ଉଠାଇବେ । ସିଲଭର ସିଟି ବୋଟ କ୍ଲବଠାରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ସୁବିଧା ରହିବ । ଯାତ୍ରା କାର୍ଯ୍ୟକ୍ରମ ସଞ୍ଚାଳନ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ବାଲିଯାତ୍ରାକୁ ଜାତୀୟସ୍ତରର ଉତ୍ସବର ମାନ୍ୟତା ଦେବା ନିମନ୍ତେ ପ୍ରଶାସନ ବଦ୍ଧପରିକର ଥିବା କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଧ୍ୟକ୍ଷ କହିଛନ୍ତି ।

ବାଲିଯାତ୍ରା ପାଇଁ ବିଭିନ୍ନ ରାସ୍ତାଘାଟ, ମଞ୍ଚ ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପନ୍ନ କରାଯିବ । ଜଳ ଯୋଗାଣ ନିମନ୍ତେ ଆବଶ୍ୟକ ପାଇପ୍ ଲାଇନ ବିଛାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନିର୍ବାହ କରିବ । ପରିମଳ ଓ ସଫେଇ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ଓ ଆଲୋକୀକରଣ ବ୍ୟବସ୍ଥାର ଦାୟିତ୍ୱ ସିଡିଏ ତୁଲାଇବ । ବାଲିଯାତ୍ରା ପାଇଁ ଆବଶ୍ୟକ ହେଉଥିବା ପାଣ୍ଠି ଯୋଗାଣ ବାବଦରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ସହ ବିଭିନ୍ନ ବୃହତ୍ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ପୃଷ୍ଠପୋଷକତା ନିମନ୍ତେ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.