fbpx

ବନ୍ୟା ପରେ ପରିବା ଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ

କାକଟପୁର,(ଭାସ୍କର ନ୍ୟୁଜ): ସାରା ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି, ସରକାର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବନ୍ୟା ପୀଡିତାଙ୍କ ପାଇଁ ସହଯୋଗର ହାତ ବଢ଼ାଇ ଥିବାବେଳେ ପନିରିବା ବେପାରୀଙ୍କୁ ଧରିଛି ଶୋଷଣ ନିତୀ, ଆଳୁ, ପିଆଜ, ବାଇଗଣ, କଖାରୁ, ଝୁଡ଼ଙ୍ଗ ପ୍ରଭୁତିର ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ଯାହା ସିଧାସଳଖ ଖାଉଟିମାନଙ୍କ ଉପରେ ପ୍ରଭାବ ପଡିଛି, ଭୁବନେଶ୍ୱରରୁ କାକଟପୁର ଯିବା ବାଟରେ ଧନୁଆଁରେ ବନ୍ୟାର ପାଣି (ସେତୁ) ଉପରେ ଚାଲୁଥିବା ବେଳେ କାକଟପୁରରୁ ଭୁବନେଶ୍ୱର ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ବେଳେ ଏହାର ଫାଇଦା ପରିବା ବେପାରୀମାନେ ଉଠାଉଛନ୍ତି । ଯାହା ପାଖରେ ପରିବା ମହଜୁଦ ଅଛି, ସେମାନେ ଚଢ଼ା ଦରରେ ବିକ୍ରିକରି ଖାଉଟି ମାନଙ୍କଠାରୁ ଶୋଷଣ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଦିନ ମଜୁରିଆ ଚଳିବା ସମ୍ଭବ ହେଉ ନ ଥିବା ବେଳେ ପରିବା ଦୋକାନୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ବନ୍ୟାପାଣି ଚାରିଆଡେ ମାଡି ଯାଇଥିବା ବେଳେ କିଛି ଆଦାୟ ଆଶାରେ ଚାଷୀମାନେ କମରେଟରେ ଦୋକାନୀଙ୍କୁ କଖାରୁ, ଅମୃତଭଣ୍ଡା, ବାଇଗଣ, ସାରୁ ଦେଶିଆଳୁ, ଦେଇଦେଉଛନ୍ତି, ଦୋକାନୀ ତାକୁ କମ୍‌ ରେଟରେ କିଣି ଚଢ଼ା ଦାମରେ ବିକୁଛି । କାହାର ପୁଷ ମାସ ତ ଆଉ କାହାର ସର୍ବନାଶ ଚାଷୀମାନେ ଦୁଃଖ କଷ୍ଟରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦି ପଇସା ରୋଜଗାର କଲାବେଳକୁ ଦାଉ ସାଧୁଛି ଦଇବ । ଯାହା ଫଳରେ ଚାଷୀମାନେ ଆଗକୁ ଚାଷକରି ପିଲାଛୁଆ ବଞ୍ଚାଇବା କଷ୍ଟକର ବୋଲି କିଛି ଚାଷୀ କହିଛନ୍ତି । ସେପଟେ ଦୋକାନୀମାନେ କମରେଟରେ କିଣି ଚଢ଼ା ଦରରେ ବିକ୍ରି କରୁଥିବା ନଜରକୁ ଆସିଛି । ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୠଣ ଛାଡ଼ କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଚଢ଼ା ଦରରେ ପରିବା ବିକ୍ରି କରୁଥିବା ବେପାରୀମାନଙ୍କ ଉପରେ ଖାଉଟି ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.