fbpx
BJD
BJD SKY
BJD SKY

(Video) ନିର୍ଭୟା ଗଣଦୁଷ୍କର୍ମ ମାମଲା, ଜାଣନ୍ତୁ କ’ଣ ଥିଲା ସେହି ଲୋମଟାଙ୍କୁରା ଘଟଣା…

ନିର୍ଭୟା ଗଣ ଦୁଷ୍କର୍ମ…ଯାହାର ନାଁ ଶୁଣିଲେ ଟାଙ୍କୁରି ଉଠେ ଲୋମ… ଏକ ଏଭଳି ବୀଭତ୍ସ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ, ଯେଉଁଥିରେ ସାରା ଦେଶରେ ଜଳିଥିଲା ଆକ୍ରୋଶର ନିଆଁ ହେଲେ… ଶେଷରେ ଜିତିଥିଲା ଝିଅକୁ ନ୍ୟାୟ ପାଇଁ ଲଢ଼ୁଥିବା ଗୋଟିଏ ମା’, ମିଳିଥିଲା ନ୍ୟାୟ । କିନ୍ତୁ ତଥାପି ଥମିନି ଦୁଷ୍କର୍ମର ତାଲିକା । ପ୍ରତିଦିନ ବଢ଼ି ବଢ଼ି ଚାଲିଛି ଅତ୍ୟାଚାର ବ୍ୟଭିଚାର । ଏଭଳି ସଭ୍ୟ ସମାଜରେ ଯଦି ନିର୍ଭୟା ଭଳି ଗଣଦୁଷ୍କର୍ମ ହେଉଛି ତେବେ ନିଶ୍ଚତ ଭାବରେ ଏଭଳି ଲୋକ ଏହି ସମାଜରେ ରହିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଆଜି ଜାଣିବା ସେହି ନିର୍ଭୟାକାଣ୍ଡର ସେହି ଲୋମଟାଙ୍କୁରା କାହାଣୀ ।

୧୬ ଡିସେମ୍ବର ୨୦୧୨ ର ସେହି ରାତି ଯାହ ସାରାଦେଶକୁ ଦୋହଲାଇ ଦେଇଥିଲା । ଦୁଷ୍କର୍ମର କଳାଫର୍ଦ୍ଦର ଲେଖି ହୋଇଥିଲା ଗୋଟିଏ ବୀଭତ୍ସ ଦୁଷ୍କର୍ମର କଥା । ଯେତେବେଳେ ଫିଜିଓ ଥେରାପି ପଢ଼ୁଥିବା ଜଣେ ଯୁବତୀଙ୍କ ସହ ଘଟିଥିଲା ଲୋମଟାଙ୍କୁରା ଘଟଣା । ଯେତେବେଳେ ଫିଲ୍ମ ଦେଖିସାରି ଯୁବତୀ ଜଣକ ନିଜ ବନ୍ଧୁ ଅବନେନ୍ଦ୍ର ପ୍ରତାପଙ୍କ ଘରକୁ ଫେରୁଥିଲେ ତାଙ୍କ ସହ ଘଟିଥିଲା ଜଘନ୍ୟକାଣ୍ଡ ।

ଘଟଣା ଥିଲା କିଛି ଏମିତି  । ଘରକୁ ଫେରିବା ପାଇଁ ବସ୍ ଷ୍ଟପରେ ଛିଡ଼ା ହୋଇଥାନ୍ତି ଉଭୟ । ଠିକ୍ ରାତି ୯ଟାରେ ଧଳା ରଙ୍ଗର ଏକ ବସ୍ ଆସି ସେମାନଙ୍କ ପାଖରେ ପହଞ୍ଚିଯାଏ । ଦ୍ୱାରିକା ଏବଂ ପାଲମପୁର ପାଇଁ ଡାକ ଛାଡ଼ିଥିଲା କଣ୍ଡକ୍ଟର । ଘରକୁ ଯିବା ପାଇଁ ବିଳମ୍ବ ହେଉଥିଲା ସେଥିପାଇଁ କିଛି ଅଜବ ଲାଗୁଥିଲେବି ଦୁଇଜଣ ଯାକ ସେହି ବସ୍ ରେ ଚଢ଼ିଥିଲେ ।

ଅଭିଯୁକ୍ତ ରାମ ସିଂ ବସ୍କୁ ଚଲାଉଥିଲା ତା’ର ସାନଭାଇ ମୁକେଶ ସିଂ ଥିଲା ବସ୍ ହେଲପର । ଅଭିଯୁକ୍ତ ଅକ୍ଷୟ କୁମାର ବସ୍ର କଣ୍ଡକ୍ଟର ଥିଲା । ଏହା ବ୍ୟତୀତ ପବନ ଗୁପ୍ତା ଏବଂ ବିନୟ ଗୁପ୍ତାଙ୍କ ସହ ଆଉଜଣେ ବ୍ୟକ୍ତି ରାଜୁ ବସିଥିଲା । ମୁନିରିକା ବସ୍ ଷ୍ଟାଣ୍ଡରୁ ଯେତେବେଳେ ବସ୍ ଆଗକୁ ଆଗକୁ ବଢ଼ୁଥିଲା ସେତେବେଳ ଦୁଇଜଣ ଯାକ ଟିକେଟ ମାଗିଥିଲେ । କିନ୍ତୁ ଟିକେ ଦେବା ବଦଳରେ ସେହି ଦୁଇଜଣଙ୍କ ଠାରୁ ୧୦ ଟଙ୍କା ନେଇଥିଲେ ମୁକେଶ । ବସ୍ ଯେତେବେଳେ ଫ୍ଲାଏ ବ୍ରିଜରେ ପହଞ୍ଚିଥିଲା ଗାଡ଼ି ଡ୍ରାଇଭର ଗାଡ଼ିର ଲାଇଟ ବନ୍ଦ କରିଦେଇଥିଲେ । ଆଉ ବସ୍ର ଅନ୍ଧାରରେ ପଛର ୩ ଜଣ ଆସି ଏହି ଯୁବତୀ ଏବଂ ତାଙ୍କ ସାଙ୍ଗଙ୍କ ପାଖରେ ପହଞ୍ଚିଥିଲେ । କମେଣ୍ଟ ମାରିବା ସହ ଗାଳିଗୁଲ କରିଥିଲେ । ଯୁବକ ଜଣକ ଅଟକେଇ ବାରୁ ତାଙ୍କୁ ଲୁହା ରଡରେ ମାଡ଼ ମାରିବା ସହିତ ତାଙ୍କ ଠାରୁ ମୋବାଇଲ ଏବଂ ପର୍ସ ଛଡ଼ାଇଥିଲେ ।

ମାଡ଼ ମାରିବା କାରଣରୁ ଅବନେନ୍ଦ୍ର ବେହୋସ ହୋଇଯାଇଥିଲେ । ଏହାପରେ ଏହି ଅଭିଯୁକ୍ତମାନେ ପାଲଟିଯାଇଥିଲେ ଗୋଟିଏ ଗୋଟିଏ ନର ରାକ୍ଷସ । ଯୌନ ଲାଳାସାରେ ଅନ୍ଧ ହୋଇପଡ଼ିଥିବା ଏହି ଯୌନପୀପାସୁମାନେ ଯୁବତୀଙ୍କ ସହ କରିଥିଲେ ଦୁଷ୍କର୍ମ । ବସ୍ ଦିଲ୍ଲୀର ରାସ୍ତାରେ ସେମିତି ଗଡ଼ି ଚାଲିଥିଲା । ଆଉ ବସ୍ ଭିତରେ ଚାଲିଥିଲା ଅତ୍ୟାଚାର, ଖାଲି ସେତିକି ନୁହେଁ ଏହି ନର ରାକ୍ଷସମାନେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟକୁ ଲୁହା ରଡରେ ଆଘାତ କରିଥିଲେ । ଯୁବତୀଙ୍କ ଚିକ୍ରାର ସେହି ବସ ଭିତରେ ହିଁ ରହିଯାଇଥିଲା । ମାଡ଼ ମାରିବା ସହ କରି ଚାଲିଥିଲେ ଦୁଷ୍କର୍ମ । ଦୀର୍ଘ ଏକ ଘଣ୍ଟା ଧରି ଦୁଷ୍କର୍ମ ପରେ ଚଳନ୍ତା କାରରୁ ପୀଡ଼ିତା ଏବଂ ଯୁବକଙ୍କୁ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ ଦୁଷ୍କର୍ମକାରୀ । ଦୁଇଜଣଙ୍କୁ ବସ୍ ଚଢ଼ାଇ ମାରିଦେବାକୁ ଚେଷ୍ଟା କରିଥିଲେ ବି ଶେଷ ମୁହୂର୍ତ୍ତରେ ବିଫଳ ହୋଇଯାଇଥିଲେ ।

ସେହି ରାସ୍ତାରେ ଯାଉଥିବା ଦୁଇଜଣ ଯୁବକ କ୍ଷତ ବିକ୍ଷତ ଅବସ୍ଥାରେ ଏହି ଦୁଇଜଣଙ୍କୁ ଦେଖିଥିଲେ । ସବୁ କଥା ଯୁବକଙ୍କ ଠାରୁ ଶୁଣିବା ପରେ ପାଖ ହୋଟେଲରୁ ଚାଦର ଆଣି ଦେବା ସହ ପୋଲିସ୍କୁ ଖବର ଦେଇଥିଲେ । ଏହାପରେ ଦୁଇଜଣଙ୍କୁ ସଫଦର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ଯେତେବେଳେ ଯୁବତୀଙ୍କ ଅବସ୍ଥା ଦେଖିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତି ଘଟଣା ଡାକ୍ତରଙ୍କ ପାଇଁ ଥିଲା ପ୍ରଥମ । ଡାକ୍ତର ବି ଚିନ୍ତାରେ ପଡ଼ିଯାଇଥିଲେ ଚିକିତ୍ସା କେଉଁଠୁ ଆରମ୍ଭ କରିବେ । ଝିଅଙ୍କର ମା ବାପାଙ୍କୁ ଡକା ଯାଇଥିଲା । ପୁରା ଘଟଣା ବିଷୟରେ କୁହାଯାଇଥିଲା । ଏହା ଶୁଣିବା ପରେ ମା ବାପାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ସାଉଥ ଦିଲ୍ଲୀର ଡିସିପି ଛାୟା ଶର୍ମା ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ । ଡାକ୍ତରଙ୍କ ଠାରୁ ଯେତେବେଳେ ସେ ଯୁବତୀଙ୍କ ବିଷୟରେ ଶୁଣିଥିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡିସିପିଙ୍କ ଆଖିରୁ ଝରିଥିଲା ଲୁହ । ଯୁବତୀଙ୍କ ସାଙ୍ଗ ପୁରା ଘଟଣା ଉପରେ ପୋଲିସ୍କୁ ଗୋଟି ଗୋଟି କରି କହିଥିଲେ । ବସ୍ ଟି କେମିତି ଥିଲା ସେ ନେଇ ପୁରା ସୂଚନା ଦେଇଥିଲେ ।

ଏହା ପରେ ପୋଲିସ୍ ସେହି ବସ୍ କୁ ଖୋଜିବାକୁ ଲାଗିପଡ଼ିଥିଲେ । ବହୁ ଖୋଜାଖୋଜି ପରେ ବସ୍ଟି ପୋଲିସର ନଜରକୁ ଆସିଥିଲା । ଆରଟିଓରୁ ଜଣାପଡ଼ିଥିଲା କି ବସ୍ ଟି ସ୍କୁଲ ବସ୍ ଥିଲା । ହେଲେ ଏହି ବସ୍ କେଉଁଠି ଥିଲା ତାହା ମାଲିକ ପାଖରେ ମଧ୍ୟ ଖବର ନଥିଲା । ବହୁ ଖୋଜାଖୋଜି ପରେ ଜଣା ପଡ଼ିଥିଲା କି ବସ୍ ଟି ସେକ୍ଟର ୩ ଆରକେପୁରମ ରବିଦାର କ୍ୟାମ୍ପ ଫିଲ୍ଡରେ ରହିଛି ବୋଲି । ପୋଲିସ ସେଠାରୁ ଡ୍ରାଇଭରଙ୍କୁ ଗିରଫ କରିବା ପରେ ବସ୍ କୁ ଯାଞ୍ଚ କରିଥିଲା ପୋଲିସ୍ । ଯାହାପରେ ଅନ୍ୟ ୫ ଜଣଙ୍କୁ ବି ଗିରଫ କରିଥିଲା ପୋଲିସ୍ । ମାମଲା ଦୀର୍ଘ ଦିନ ଚାଲିଥିଲା, କିନ୍ତୁ ଶେଷରେ ୨୦୨୦ ମାର୍ଚ୍ଚ ୨୦ ତିହାର ଜେଲରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା ।

Get real time updates directly on you device, subscribe now.