fbpx

କେତେ ଦକ୍ଷ କେନ୍ଦ୍ରମନ୍ତ୍ରୀ ! ଟିଫିନ୍‌ ବୈଠକ ପରାମର୍ଶ କେତେ ଦୂର କାର୍ଯ୍ୟକାରୀ ହୋଇଛି : ରିିପୋର୍ଟ କାର୍ଡ ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନିଜ ସହ କେନ୍ଦ୍ର ସରକାରଙ୍କ ଦକ୍ଷତା ବୃଦ୍ଧି ପାଇଁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପରାମର୍ଶ କେତେଦୂର କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ଅବଗତ ହେବା ପାଇଁ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ପ୍ରଧାନମନ୍ତ୍ରୀ । କିଛି ମାସ ତଳେ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିଜର ଦକ୍ଷତା ବୃଦ୍ଧି ସହ ଉତ୍ତମ ସରକାରୀ ନୀତିକୁ ଆପଣାଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ବିଭିନ୍ନ କାର୍ଯ୍ୟକୁ ଟିଫିନ୍‌ ବୈଠକ ଦ୍ୱାରା କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ । ଏହି ପରାମର୍ଶକୁ ବିଭାଗୀୟ ମନ୍ତ୍ରୀ ଓ ସେମାନଙ୍କ ବିଭାଗ କେତେ ଦୂର କାର୍ଯ୍ୟକାରୀ କରିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକୁ ବିଭିନ୍ନ ପ୍ରସଙ୍ଗ ଉପରେ ରିପୋର୍ଟ ଦେବାକୁ ନୋଟିସ କରାଯାଇଛି । ସରକାରୀ ଇ-ମାର୍କେଟରୁ ସେମାନଙ୍କ କେଉଁ ସବୁ ସାମଗ୍ରୀ ଓ ସେବା କିଣିଛନ୍ତି, ଅଧିକାରୀମାନଙ୍କ ସହ ମନ୍ତ୍ରୀମାନେ କେତେ ବୈଠକ କରିଛନ୍ତି ଓ ସୋସିଆଲ ମିଡିଆରେ ସରକାରଙ୍କ କେଉଁସବୁ ନିଷ୍ପତ୍ତିକୁ ପ୍ରଚାର ପ୍ରସାର କରିଛନ୍ତି ସେ ନେଇ ତଥ୍ୟ ଦେବାକୁ ମଧ୍ୟ ସମସ୍ତ ମନ୍ତ୍ରୀମାନଙ୍କୁ କୁହାଯାଇଛି ।

ସୂଚାନଯୋଗ୍ୟ ଯେ, ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଟିଫିନ ବୈଠକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନା ଅନୁସାରେ ମନ୍ତ୍ରୀ ଓ ଅଧିକାରୀମାନେ ଖାଇବା ସମୟରେ ଏକାଠି ହୋଇ ଆଲୋଚନା କରିବେ । ସେମାନଙ୍କ ମଧ୍ୟରେ ଖାଦ୍ୟର ଅଦଳ ବଦଳ ହେବା ସହ ଉତ୍ତମ ଶାସନ ପାଇଁ କ’ଣ ସବୁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରାଯାଇପାରିବ ସେ ସମ୍ପର୍କରେ ଗୋଟିଏ ଫୋରମ୍‌ରେ କଥା ହେବେ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ଟିଫିନ ବୈଠକ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଫଳରେ ଅଧିକାରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ସହ ଶାସନ କାର୍ଯ୍ୟକୁ ଅଧିକ ସହଜ କରାଯାଇପାରିବ ବୋଲି ମୋଦୀ ଲକ୍ଷ୍ୟ ରଖିଥିଲେ ।

ଅନ୍ୟପକ୍ଷରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଭିନ୍ନ କାର୍ଯ୍ୟକ୍ରମ ଓ ପରାମର୍ଶର ରୂପାୟନ ସମ୍ପର୍କରେ ବୈଠକ କରି ତାଲିକା ପ୍ରସ୍ତୁତ କରାଯାଇଛି । ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ଯେମିତି କୌଣସି ତଥ୍ୟ ପଦାକୁ ନ ଯାଏ ଓ ଦୁର୍ନୀତି ଯେପରି ନହୁଏ ସେନେଇ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.