ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଟମାଟୋ ଫ୍ଲୁ’ର ମାମଲା ଲଗାତାର ବଢ଼ିବାରେ ଲାଗିଛି । ନିକଟରେ ଏଠାରେ ଏକ ଘରୋଇ ବିଦ୍ୟାଳୟରେ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରୀତ ବିହାରରେ ଅବସ୍ଥିତ ମଦର ଗ୍ଲୋବାଲ ସ୍କୁଲର ସେହି ଶ୍ରେଣୀକୁ ବନ୍ଦ କରିଦିଆଯାଇଛି । ଏବେ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ବିଦ୍ୟାଳୟର ତୃତୀୟ ଶ୍ରେଣୀର ଦୁଇ ପିଲାଙ୍କ ହାତ, ପାଦ ଏବଂ ପାଟିରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମନୋଚା କହିଛନ୍ତି ଯେ, ବୁଧବାର ଦିନ ଆମକୁ ଜଣାପଡିଲା କି ୩ୟ ଶ୍ରେଣୀର ୨ ଶିଶୁଙ୍କ ହାତ, ପାଦ ଓ ପାଟିରେ ରୋଗ ହୋଇଛି । ଅବଶ୍ୟ ସେହି ପିଲାମାନେ ୩ ଦିନ ହେବ ସ୍କୁଲ ଆସିନଥିଲେ । କିନ୍ତୁ ପିତାମାତାଙ୍କଠାରୁ ଜାଣିବା ପରେ ଆମେ ଡାକ୍ତରଙ୍କ ସହ ପରାମର୍ଶ ନେଇ ସେହ ଶ୍ରେଣୀକୁ ବନ୍ଦ କରିଦେଇଛୁ । ଏହା ପରେ ପିଲାମାନଙ୍କୁ ଅନଲାଇନ ଜରିଆରେ ପାଠପଢ଼ା ଯାଉଛି । ଏହା ସହ ସ୍କୁଲରେ ସାନିଟାଇଜେନ ଉପରେ ଧ୍ୟାନ ରଖାଯାଉଛି ।
ଲାନ୍ସେଟ ଜର୍ଣ୍ଣାଲ (Lancet Journal) ଅନୂଯାୟୀ, ‘ଟମାଟୋ ଫ୍ଲୁ’ ମାମଲା ସର୍ବପ୍ରଥମେ କେରଳର କୋଲ୍ଲମରେ ମେ ୬ ତାରିଖରେ ସାମ୍ନାକୁ ଆସିଥିଲା ଏବଂ ଏପର୍ଯ୍ୟନ୍ତ ୮୨ ଜଣ ପିଲା ଏଥିରେ ସଂକ୍ରମିତ ହେଲେଣି । ଏମାନଙ୍କ ବୟସ ୫ ବର୍ଷରୁ କମ୍ ବୋଲି କୁହାଯାଇଛି । ଲାନ୍ସେଟ ଏହାର ରିପୋର୍ଟରେ କହିଛି ଯେ ଆମେ ବର୍ତ୍ତମାନ କୋଭିଡର ଚତୁର୍ଥ ଲହରରୁ ବାହାରକୁ । କିନ୍ତୁ ଏହାରି ମଧ୍ୟରେ ଏକ ନୂଆ ଭାଇରସ ଯାହାକୁ ଟମାଟୋ ଫ୍ଲୁ କୁହାଯାଉଛି ସାମ୍ନାକୁ ଆସିଛି । ଏହି ସଂକ୍ରାମକ ରୋଗ ୦ ରୁ ୫ ବର୍ଷର ପିଲାଙ୍କୁ ଏହାର ଶିକାର କରୁଛି ।
ଏହି ଭାଇରସର ନାମ ଟମାଟୋ ଫ୍ଲୁ ଏଥିପାଇଁ କୁହାଯାଉଛି, କାରଣ ଏଥିରେ ସଂକ୍ରମିତ ହେବା ପରେ ପିଲାଙ୍କ ଶରୀରରେ ଟମାଟୋ ଭଳି ଲାଲ ରଙ୍ଗ ଫୋଟକା ପରି ଫଳିଯାଇଥାଏ, ଯାହା ଏହାର ମୁଖ୍ୟ ଲକ୍ଷଣ । ଟମାଟୋ ଫ୍ଲୁ ହେଲେ, ଥକ୍କା ଲାଗିବା, ବାନ୍ତି ହେବା, ଜ୍ୱର ଆସିବା, ଶରୀରରେ ପାଣିର ମାତ୍ରା କମିବା, ଆଣ୍ଠୁଗଣ୍ଠି ଫୁଲୁଯିବା, ଶରୀରରେ ଯନ୍ତ୍ରଣା ଏବଂ ସାମାନ୍ୟ ଏନଫ୍ଲୁଏନ୍ଜା ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଓଡ଼ିଶାରେ ୨୬ ପିଲାଙ୍କ ଠାରେ ଏହି ଭାଇରସ ଦେଖିବାକୁ ମିଳିଛି ।