fbpx

ତୃତୀୟରୁ ନବମ ଶ୍ରେଣୀ ପିଲା ପଢ଼ିବେ ପୁରୁଣା ପାଠ, ଆସନ୍ତା ୨୯ରୁ ଆରମ୍ଭ ହେବ ଶୈକ୍ଷିକ ପୁନରୁଦ୍ଧାର କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜ୍ୟର ସ୍କୁଲ ପିଲାମାନଙ୍କର ଦୁଇ ବର୍ଷର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଥିଲା ବି କ୍ଲାସରେ ପିଲାମାନେ ପରୀକ୍ଷାରେ ପାସ୍ କରି ଉପର ଶ୍ରେଣୀକୁ ଉଠିଥିଲେ । ତେତେ ପିଲାମାନେ ଗତ ଦୁଇବର୍ଷରେ ଯେଉଁ ଶିକ୍ଷାକୁ ହରାଇଛନ୍ତି ତାହାକୁ ଭରଣା କରିବା ପାଇଁ ଗଣଶିକ୍ଷା ବିଭାଗ ଆରମ୍ଭ କରିବାକୁ ଯାଉଛି ଶୈକ୍ଷିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ।

ସୂଚନା ଅନୁଯାୟୀ ଆସନ୍ତା ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ତୃତୀୟରୁ ନବମ ଶ୍ରେଣୀ ପିଲାମାନେ ଏଥିରେ ସାମିଲ ହେବେ । ତୃତୀୟ ଶ୍ରେଣୀ ପିଲାଙ୍କୁ ଗଣିତ, ଓଡ଼ିଆ ଓ ପରିବେଶ ବିଜ୍ଞାନ, ଚତୁର୍ଥ ଶ୍ରେଣୀଙ୍କୁ ଗଣିତ, ଇଂରାଜୀ ଓ ବିଜ୍ଞାନ ପାଠ ପଢ଼ାଯିବ । ଦୈନିକ ଦୁଇଟି ପିରିୟଡ଼ରେ ପୁରୁଣା ପାଠର ଶିକ୍ଷା ପ୍ରଦାନ କରାଯିବ । ପିଲାମାନେ ଗତ ଦୁଇବର୍ଷରେ କେତେ ପାଠ ଜାଣିଛନ୍ତି ସେନେଇ ତଦାରଖ କରିବାକୁ ଆସନ୍ତା ୨୬ରୁ ୨୮ ମଧ୍ୟରେ ଏକ ବେସଲାଇନ୍ ଆସେସମେଣ୍ଟ କରାଯିବ ।

ଏହାପରେ ଆସନ୍ତା ୨୯ ତାରିଖରୁ ଶୈକ୍ଷିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାର ୨୫ ଦିନ ପରେ ଅର୍ଥାତ ନଭେମ୍ବର ୭ ତାରିଖରେ ମିଡ-ଟର୍ମ ଆସେସମେଣ୍ଟ କରାଯିବ । ଏହାର ୨୫ ଦିନ ପରେ ଡିସେମ୍ବର ୯ରେ ଏଣ୍ଡ-ଟର୍ମ ଆସେସମେଣ୍ଟ କରାଯିବ । ଏଥିପାଇଁ ୩୦ ଜିଲ୍ଲା ପାଇଁ ଦୁଇଟି ଏଜେନ୍ସିକୁ ଚୟନ କରାଯାଇଛି । ଏଥିପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ଚୟନ କରାଯାଇଥିବା ବେଳେ ତୃତୀୟରୁ ଅଷ୍ଟମ ଶ୍ରେଣୀର ଶିକ୍ଷକମାନେ ପ୍ରଶିକ୍ଷଣ ନେବେ । ଏଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ କରାଯିବ । ଜିଲ୍ଲାସ୍ତରୀୟ କମିଟିରେ ଡିଇଓ, ଏଡିଇଓ ଏବଂ ବ୍ଲକସ୍ତରୀୟ କମିଟିରେ ବିଇଓ, ଏବିଇଓଙ୍କ ସହିତ ଅନ୍ୟ ଅଧିକାରୀ ସାମିଲ ରହିବେ ।

Get real time updates directly on you device, subscribe now.