ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସୁନ୍ଦରତାରେ ଭରପୂର ଓଡିଶା । ଏଠାକାର ନଦୀ, ସମୁଦ୍ର ଏବଂ ବିସ୍ତୀର୍ଣ୍ଣ ବେଳାଭୂମି ସହିତ ବିରଳ ଜୈବ ବିବିଧତାର ଭୁ-ସ୍ୱର୍ଗ ଗହୀରମଥା ବିଶ୍ୱପ୍ରସିଦ୍ଧ । ସାମୁଦ୍ରିକ ଅଭୟାରଣ୍ୟ, ଗହୀରମଥା ପ୍ରତି ଆକୃଷ୍ଟ ହୋଇ ଶହ ଶହ ଯୋଜନ ସମୁଦ୍ର ପଥ ଅତିକ୍ରମ କରି ଅଲିଭି ରିଡ଼ଲେ କଇଁଛ ମିଳନ ଓ ସାମୂହିକ ଅଣ୍ଡାଦାନ ପାଇଁ ଧାଇଁ ଆସନ୍ତି । ଗଭୀର ସମୁଦ୍ରରେ ଚାଲେ ମିଳନର ମହାପର୍ବ । ଗଭୀର ସମୁଦ୍ର ପଥ ଅତିକ୍ରମ କରି ଏମାନେ ଓଡିଶା ଆସୁଥିବା ବେଳେ ଅନେକ ସମୟରେ ଟ୍ରଲର ମାଡ଼ରେ କଇଁଛମାନଙ୍କର ମୃତ୍ୟୁ ହୋଇଥାଏ ।
ପାରାଦୀପ ମୁହାଣ ଠାରୁ ଧାମରା ୧୪୨୦ ସ୍କୋୟାର କିଲୋମିଟର ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳ ପରିବ୍ୟାପ୍ତ । ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ହୁକିଟୋଲା, ଲଞ୍ଚଘୋଲା, ମାଦଳି , ଅଗରନାଶି ଆଦି ଅଞ୍ଚଳରେ ଥିବା ବାଲୁକା ଶଯ୍ୟା ସମୁଦ୍ର ଢେଉରେ ପାଣି ଭିତରକୁ ଚାଲି ଗଲାଣି । ଯେଉଁ ସବୁ ସ୍ଥାନ ଗୁଡିକ ଅଲିଭି ରିଡ଼ଲେ ସାମୁହିକ ଅଣ୍ଡାଦାନ କରୁଥିଲେ ତାହାସବୁ ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସାମୁଦ୍ରିକ ଝଡ଼ ଯୋଗୁଁ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି । ସମୁଦ୍ରର ବଡ଼ ବଡ଼ ଢେଉ ହେବା ଦ୍ୱାରା ମୁହାଣ ମୁହଁ ଦିଗ ମଧ୍ୟ ପରିବର୍ତ୍ତନ କରୁଛି, ନିଜକୁ ସୁରକ୍ଷିତ ଭାବି ଲକ୍ଷ ଲକ୍ଷ ଯୋଜନ ସମୁଦ୍ର ପଥ ଅତିକ୍ରମ କରି ଅଲିଭି ରିଡ଼ଲେ କଇଁଛମାନେ ଗହୀରମଥା ବେଳାଭୂମି କୁ ଛୁଟି ଆସୁଥିଲେ । ହେଲେ ତାହା ଏବେ ସମୁଦ୍ର ଭିତରକୁ ଚାଲିଯାଉଛି । ଫଳରେ ଏହି କଇଁଛମାନଙ୍କ ଜୀବନି ପ୍ରତି ବିପଦ ଆସୁଛି ।
ସମୁଦ୍ର ମୁହାଣ ମୁହଁ ଦିଗ ପରିବର୍ତ୍ତନ କରିବା ଦ୍ୱାରା ଅଗରନାସି ସମ୍ପୂର୍ଣ୍ଣ ରୂପେ ସମୁଦ୍ରରେ ମିଶି ଗଲାଣି । ସେହିପରି ମାଦଳି, ଲଞ୍ଚଘୋଲା ଭଳି ବେଳାଭୂମି ଆଦି ସ୍ଥାନ ଗୁଡିକ ପ୍ରତି ମଧ୍ୟ ବିପଦ ଘନେଇଲାଣି । ତେଣୁ ଉଚିତ ସମୟରେ ସରକାର ଯଦି ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ଏହା ଖୁବଶୀଘ୍ର ଶେଷ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୁରକ୍ଷା ପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।