fbpx

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଫରାସୀ ଲେଖିକା ଆନି ଏର୍ନକ୍ସ ପାଇବେ ସାହିତ୍ୟରେ ନୋବେଲ । ଆନି ତାଙ୍କର ଲେଖାରେ ସ୍ୱାଧୀନତାର ଶକ୍ତିକୁ ଗୁରୁତ୍ୱ ଦେଇଥାନ୍ତି । ସେ ଲେଖିବାକୁ ନେଇ କୌଣସି ପ୍ରକାରର ସାଲିସ ନ କରିବା ସହ ସାଧାରଣ ଭାଷାରେ, ପରିଷ୍କାର ଭାବେ ନିଜର ମତ ବ୍ୟକ୍ତ କରିଥାନ୍ତି । ପୂର୍ବରୁ ମେଡିସିନ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।

ଚଳିତ ବର୍ଷର ସାହିତ୍ୟ ନୋବେଲ ବିଜେତାଙ୍କ ମତରେ, ଲେଖିବା ହେଉଛି ଏକ ରାଜନୈତିକ ନିୟମ, ଏହା ସାମାଜିକ ଅସମାନତା ପାଇଁ ଆମର ଆଖିକୁ ଖୋଲି ଦେଇଥାଏ । ଏହି ଉଦ୍ଦେଶ୍ୟରେ ସେ ଭାଷାକୁ ଗୋଟିଏ ‘ଛୁରୀ’ ଭାବେ ବ୍ୟବହାର କରିଥାନ୍ତି । ସ୍ୱେଡିଶ ଆକାଡେମି ତରଫରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ବିଜେତାଙ୍କୁ ୧୦ ମିଲିୟନ ସ୍ୱେଡିଶ କ୍ରାଉନ୍ ମିଳିବ । ଗତ ବର୍ଷ ବ୍ରିଟିଶ ଉପନ୍ୟାସକାର ଅବଦୁଲରାଜାକ ଗୁରନାହଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଚଳିତ ବର୍ଷର ସାହିତ୍ୟ ନୋବେଲ ପୁରସ୍କାର ଘୋଷଣା ପୂର୍ବରୁ ମୁମ୍ବାଇ ଜନ୍ମିତ ଲେଖକ ସଲମାନ ରଶଦୀଙ୍କ ନାମ ଚର୍ଚ୍ଚା ହେଉଥିଲା । ସେ ସାହିତ୍ୟରେ ନୋବେଲ ପାଇବା ପାଇଁ ଦୃଢ଼ ଦାବିଦାର ବୋଲି କୁହାଯାଉଥିଲା । ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ପରେ ଆସନ୍ତା ୭ ତାରିଖରେ ନୋବେଲ ଶାନ୍ତି ପୁରସ୍କାର ଓ ୧୦ ତାରିଖରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ ।

ପ୍ରତ୍ୟେକ କ୍ଷେତ୍ରର ନୋବେଲ ବିଜେତାଙ୍କୁ ଏକ ସ୍ୱର୍ଣ୍ଣପଦକ ସହ ପାଖାପାଖି ୯ ଲକ୍ଷ ଡଲାର ପୁରସ୍କାର ରାଶି ମିଳିଥାଏ । ବିଜେତାଙ୍କୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୦ରେ ସମ୍ମାନିତ କରାଯାଇଥାଏ । ୧୮୯୬ ଡିସେମ୍ବର ୧୦ରେ ଆଲଫ୍ରେଡ ନୋବେଲଙ୍କ ପରଲୋକ ଘଟିଥିଲା । ୧୯୦୧ରୁ ୨୦୨୧ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କ୍ଷେତ୍ରରେ ମୋଟ ୬୦୯ ଥର ନୋବୋଲ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.