‘ଭାରତ ଯୋଡ଼ୋ ଯାତ୍ରା’ରେ ଅଘଟଣ: କଂଗ୍ରେସର ୪ କର୍ମକର୍ତ୍ତାଙ୍କୁ ଲାଗିଲା ବୈଦ୍ୟୁତିକ କରେଣ୍ଟ, ପଠାଗଲା ହସ୍ପିଟାଲ

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଦେଖିବାକୁ ମିଳିଛି ଅଘଟଣ । କଂଗ୍ର୍ରେସର ଏହି ଯାତ୍ରାରେ ସାମିଲ ହୋଇଥିବା ୪ ଜଣ କର୍ମକର୍ତ୍ତଙ୍କୁ ଇଲେକ୍ଟ୍ରିକ୍ କରେଣ୍ଟ ଲାଗିଛି । ଫଳରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଆଜି ସକାଳୁ କର୍ଣ୍ଣାଟକର ବେଲାରୀରୁ ‘ଭାରତ ଯୋଡ଼ୋ ଯାତ୍ରା’ର ଶୁଭାରମ୍ଭ ହୋଇଥିଲା । ଏହି ଯାତ୍ରା ଅବସରରେ ମୌକା ନାମକ ସ୍ଥାନରେ ଦଳର କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ । ଏହି ସମୟରେ କିଛି କର୍ମକର୍ତ୍ତା ପାର୍ଟିର ପତାକା ଓ ଲୁହା ଛଡ଼ ହାତରେ ଧରିଥିଲେ । ତେବେ ଲୁହାରେ କରେଣ୍ଟ ଲାଗିବା ପରେ ୪ ଜଣ ନେତା ଏହାର ଶିକାର ହୋଇଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆମ୍ବୁଲାନ୍ସର ଡାକ୍ତରମାନେ ଆହତ କାର୍ମକର୍ତ୍ତାଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରିଦେଇଥିଲେ ।

‘ଭାରତ ଯୋଡ଼ୋ ଯାତ୍ରା’ ଗତ ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିଲା । ୩୭୫୦ କିମିର ଯାତ୍ରାକୁ ପୂରଣ କରିବା ପାଇଁ କଂଗ୍ରେସ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିଜର ଯାତ୍ରା ଜାରି ରଖିବ । ଜମ୍ମୁ କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ସମାପ୍ତ ହେବ । ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ସାଧାରଣ ଜନତାଙ୍କା ସମସ୍ୟା ଉପରେ ଆଧାରିତ । ଏହି ଯାତ୍ରା ସମୟରେ ସେ ବେକାରୀ, କୃଷକଙ୍କ ସମସ୍ୟା, ଶିକ୍ଷା ସମସ୍ୟା ଉପରେ ସ୍ୱରଉତ୍ତୋଳନ କରିଛନ୍ତି ।