ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଅଳ୍ପ ବୟସର ପିଲାମାନେ ଦାମି ଗାଡ଼ି ଧରି ରାଜରାସ୍ତାରେ ହାଇସ୍ପିଡରେ ଯାଉଥିବା ଦେଖାଯାଉଛି । ବୟସ ହେବ ୧୫-୧୬, ମାତ୍ର ଗାଡ଼ିର ସ୍ପିଡ ୮୦-୧୦୦ ଟପି ଯାଉଛି । ଅନେକ ନାବାଳକ ବାଇକରେ ଷ୍ଟଣ୍ଟ କରୁଥିବା ମଧ୍ୟ ଦେଖାଯାଉଛି । କିଛିଦିନ ହେବ ଟ୍ରାଫିକ ଚେକିଂ କଡ଼ାକଡ଼ି କରାଯାଇ ନଥିବାରୁ ଏହାର ସୁଯୋଗ ନେଇ କିଛି ପିଲା ଉତ୍ପାତ ମଚାଉଥିବା ଦେଖାଯାଉଛି ।
ତେବେ ଏହା ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସ୍କୁଲ, କଲେଜ ସବୁ ଖୋଲିଗଲାଣି । ତେଣୁ ପିଲାମାନେ ସେମାନଙ୍କର ପୁରୁଣା ଷ୍ଟାଇଲରେ ବାଇକ୍ ଧରି ସ୍କୁଲ, କଲେଜକୁ ଯାଉଛନ୍ତି । ତେବେ ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସଚେତନତାର ବାର୍ତ୍ତା ଦିଆଯାଇଛି । ଏଣିକି ନାବାଳକ ପିଲା ଧରାପଡ଼ିଲେ ସେମାନଙ୍କର ଅଭିଭାବକଙ୍କୁ ଧରାଯିବ । ପିଲାମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରାପଡ଼ିଲେ, ବାପାମାନଙ୍କୁ ଜେଲଦଣ୍ଡ ସହିତ ୨୫ ହଜାର ଜରିମାନା ଲାଗୁ କରାଯିବ ।
୧୮ ବର୍ଷରୁ କମ୍ ବୟସର ପିଲାମାନେ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଏହି ନିୟମ ମାନିବାକୁ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି । ପିଲାମାନେ ନିୟମ ନ ମାନିଲେ ଅଭିଭାବକ ଦାୟୀ ହେବା ସହ ସେମାନଙ୍କର ନାମରେ ମାମଲା ରୁଜୁ ହେବ । ଏହି ସମସ୍ୟାର ସମାଧାନ ପାଇଁ ଚଳିତ ବର୍ଷ ପ୍ରାରମ୍ଭରୁ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇ ଅନେକ ପିଲାଙ୍କୁ ଧରାଯାଇଥିଲା । ତେବେ ଅମାନିଆଙ୍କୁ ଧରିବା ପାଇଁ ରାଜଧାନୀ ଭୁବନେଶ୍ୱର ସହରରେ ୪ଟି ଇଣ୍ଟରସେପ୍ଟର ବିଭିନ୍ନ ଛକରେ ରହୁଛି । ଆଗକୁ ନାବାଳକଙ୍କ ଉପରେ ଫୋକସ କରାଯିବ ବୋଲି କମିସନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।