fbpx

ଦେଶର ପ୍ରତ୍ୟେକ ରାଜ୍ୟରେ ଖୋଲିବ NIA କାର୍ଯ୍ୟାଳୟ: ସାଇବର ଅପରାଧ, ନିଶା କାରବାର, ଆତଙ୍କବାଦ ଲୋପ ପାଇଁ ଆହ୍ୱାନ ଦେଲେ ଶାହ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ଏଜେନ୍ସି (ନିଆ)ର କାର୍ଯ୍ୟାଳୟ । ହରିୟାଣାର ସୂରଜକୁଣ୍ଡଠାରେ ଆୟୋଜିତ ବିଜେପିର ଚିନ୍ତନ ଶିବିରରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ବାବଦରେ ସୂଚନା ଦେଇଛନ୍ତି । ଦେଶରୁ ସାଇବର ଅପରାଧ, ନିଶା କାରବାର, ଆତଙ୍କବାଦୀ, ଦେଶଦ୍ରୋହ ଓ ଅନ୍ୟ ଅପରାଧିକ ମାମଲାକୁ ମୂଳପୋଛ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଥିବା ଶାହ କହିଛନ୍ତି ।

ଶାହ କହିଛନ୍ତି, ନିଆ ଦେଶବ୍ୟାପି କିପରି ସକ୍ରିୟ ରହିପାରିବ ସେନେଇ ଧ୍ୟାନ ଦିଆଯିବ । ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ହେଲେ ରାଜ୍ୟମାନଙ୍କର ସହଯୋଗ ଜରୁରୀ । ବିଭିନ୍ନ ରାଜ୍ୟର ସୀମାରେ ଘଟୁଥିବା ଅପରାଧକୁ ଦମନ ପାଇଁ ଚିନ୍ତା କରିବାର ଆବଶ୍ୟକ ରହିଛି । ଏ କ୍ଷେତ୍ରରେ ସମସ୍ତେ ସରକାରୀ ଦୃଷ୍ଟିକୋଣକୁ ବିଚାର କରି ସହଯେଗ ଓ ସମନ୍ୱୟକୁ ମହତ୍ତ୍ୱ ଦେବା ଆବଶ୍ୟକ ।

ଏହି ଚିନ୍ତନ ଶିବିର ଦେଶରୁ ସାଇବର ଅପରାଧ, ନିଶା ଦ୍ରବ୍ୟ ଚୋରା କାରବାର, ଦେଶଦ୍ରୋହ, ସୀମାପାର ଆତଙ୍କବାଦ ଭଳି ବିଭିନ୍ନ ଅପରାଧକୁ ଲୋପ କରିବାରେ ସହାୟକ ହେବ । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ୩୪ ପ୍ରତିଶତ ହ୍ରାସ ପାଇଛି । ସୁରକ୍ଷା ବଳଙ୍କ ମୃତ୍ୟୁ ହାର ୬୪ ପ୍ରତିଶତ କମିଥିବା ବେଳେ ସାଧାରଣ ନାଗରିକଙ୍କ ମୃତ୍ୟୁ ହାର ୯୦ ପ୍ରତିଶତ କମିଛି ।

ଏହି ଅବସରରେ ଶାହ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ୮ ବର୍ଷ ପୂରଣ କରିଥିବା ମନୋହର ଲାଲ ଖଟ୍ଟରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିନ୍ତନ ଶିବିରକୁ ଭିଡିଓ କନଫରେନ୍ସି ମାଧ୍ୟମରେ ସମ୍ବୋଧନ କରିଛନ୍ତି । ଏହି ଶିବିରରେ ରାଜ୍ୟଗୁଡ଼ିକର ଗୃହ ସଚିବ, ଡିଜିପି, ସିଆରପିଏଫ ମହାନିର୍ଦ୍ଦେଶକ ସାମିଲ ହୋଇଥିଲେ ।

Get real time updates directly on you device, subscribe now.