fbpx

UGC ଚେତାବନୀ: ଅନଲାଇନ Ph.Dକୁ ଡିଗ୍ରୀ ମାନ୍ୟତା ମିଳିବ ନାହିଁ, କ୍ୟାରିୟର ବର୍ବାଦ ହୋଇଯିବ, ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ପିଏଚଡି ପ୍ରୋଗ୍ରାମ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିସନ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ବିଦେଶୀ ୟୁନିଭରସିଟି ଓ ଉଚ୍ଚ ଶିକ୍ଷାନୁଷ୍ଠାନର ସହଯୋଗରେ ଏଡୁଟେକ କମ୍ପାନୀ ଦ୍ୱାରା ଚାଲିଥିବା ଅନଲାଇନ ପିଏଚଡି ପ୍ରୋଗ୍ରାମରେ ଆଡମିସନକୁ ନେଇ ୟୁଜିସି ଚିନ୍ତାବ୍ୟକ୍ତ କରିଛି । ଏଡୁଟେକ ପ୍ଳାଟଫର୍ମ ଦ୍ୱାରା ପ୍ରଦାନ କରାଯାଉଥିବା ଅନଲାଇନ ପିଏଚଡି ପ୍ରୋଗ୍ରାମକୁ ୟୁଜିସି ପକ୍ଷରୁ ମାନ୍ୟତା ଦିଆଯାଉ ନାହିଁ । ୟୁଜିସି ଓ ସର୍ବଭାରତୀୟ ଟେକ୍ନିକାଲ ଶିକ୍ଷା ପରିଷଦ (ଏଆଇସିଟିଇ)ର ସାର୍ବଜନିକ ନୋଟିସରେ ଏ ବାବଦରେ କୁହାଯାଇଛି ।

ନିକଟରେ ଏଡୁଟେକ କମ୍ପାନୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅଧିକାଂଶ କମ୍ପାନୀ ଅନଲାଇନରେ ଡିଗ୍ରୀ, ଡିପ୍ଲୋମା ଓ ସାର୍ଟିଫିକେଟ କୋର୍ସ ପ୍ରଦାନ କରୁଛନ୍ତି । ସେମାନଙ୍କର ଅଧିକାଂଶ କୋର୍ସ ଡିପ୍ଲୋମା ଓ ସାର୍ଟିଫିକେଟ ମୋଡ଼ରେ ହୋଇଥାଏ, ଯାହାକି ସ୍କିଲ ଉପରେ ଆଧାରିତ ଥାଏ । ଜଣେ ୱାର୍କିଂ ପ୍ରଫେସନାଲ ଯେପରି ଭାବେ ଏହାକୁ କରିପାରିବ, ତାହାକୁ ଦୃଷ୍ଟିରେ ରଖି ଏହି କୋର୍ସଗୁଡ଼ିକୁ ଡିଜାଇନ କରାଯାଇଛି । ପିଏଚଡି ପରି ପ୍ରୋଗ୍ରାମ ଅଫର କରୁଥିବା ଏପରି ଅନେକ ଏଡୁଟେକ ପ୍ଲାଟଫର୍ମ ରହିଛନ୍ତି । ଏହି ଏଡୁଟେକ ପ୍ଲାଟଫର୍ମରୁ ହାସଲ କରାଯାଉଥିବା ଡିଗ୍ରୀକୁ ନେଇ ପ୍ରଶ୍ନ ଉଠିଛି ।

ନୋଟିସ ମୁତାବକ, ୟୁଜିସିର ନିୟମ ଏବଂ ପ୍ରୋଗ୍ରାମର ରୁଲ ଓ ଷ୍ଟ୍ରକଚରକୁ ପାଳନ କରୁଥିବା ପିଏଚଡି ଡିଗ୍ରୀକୁ ଭାରତରେ ମାନ୍ୟତା ମିଳିବ । ବିଦେଶୀ ଶିକ୍ଷାନୁଷ୍ଠାନର ସହଯୋଗରେ ପରିଚାଳିତ ଏଡୁଟେକ କମ୍ପାନୀଙ୍କ ଅନଲାଇନ ପିଏଚଡି ପ୍ରୋଗ୍ରାମ ଠାରୁ ଦୂରେଇ ରହିବା ଆବଶ୍ୟକ । ପିଏଚଡି ପ୍ରୋଗ୍ରାମ ପ୍ରାମାଣିକ ହେବା ଦରକାର, ଏହା ଛାତ୍ରଛାତ୍ରୀ ସୁନିଶ୍ଚିତ ହେବା ଦରକାର । ପିଏଚଡିରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀମାନେ ୟୁଜିସି ରେଗୁଲେସନ ୨୦୧୬କୁ ଭେରିଫାଏ କରିବା ଉଚିତ । ପିଏଚଡି ଓ ଏମଫିଲ ଡିଗ୍ରୀ ପ୍ରଦାନ ପାଇଁ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସି ରେଗୁଲେସନ ମାନକକୁ ପାଳନ କରିବା ଆବଶ୍ୟକ ।

Get real time updates directly on you device, subscribe now.