fbpx

ଦିଲ୍ଲୀବାସୀଙ୍କ ପାଇଁ ପୁଣି ବଢିଲା ଚିନ୍ତା; ନୋଏଡାରେ ୪୬୯ ଟପିଲା AQI, ବିଷ ବଳୟ ସାଜିଛି ବାୟୁମଣ୍ଡଳ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଶୀତଦିନ ଆରମ୍ଭ ହେବା ସହିତ ବାୟୁ ପ୍ରଦୂଷଣ ସମସ୍ୟା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ଏନସିଆରରେ ବିଷ ବଳୟ ସାଜିଛି ବାୟୁମଣ୍ଡଳ । ଦୀପାବଳି ପରଠାରୁ ଏଠାକାର ସ୍ଥିତି ଦିନକୁ ଦିନ ଖରାପ ହେବାର ଲାଗିଛି । ଯାହାକୁ ନେଇ ଚିନ୍ତାରେ ଦିଲ୍ଲୀ ସରକାର ଏବଂ ସେଠାକାର ସାଧାରଣ ଜନତା । ଗୁରୁବାର ଅର୍ଥାତ୍ ଆଜି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିବା ଜଣାପଡିଛି । ଫଳରେ ଦିଲ୍ଲୀର AQI ଗୁରୁତର ସ୍ତରରେ ପହଞ୍ଚିଛି । ଏଥିସହିତ ନୋଏଡାର AQI ଅତ୍ୟନ୍ତ ଖରାପ ବୋଲି ରେକର୍ଡ କରାଯାଇଛି। ବାୟୁ ପ୍ରଦୂଷଣ ସହିତ କୁହୁଡି ଦିଲ୍ଲୀ ଏନସିଆରରେ ରହୁଥିବା ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ତେବେ ଦିଲ୍ଲୀର ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡୁଥିବା ସେ ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତ୍ତା ବିଗୁଡୁଛି । ଏଠାରେ ସନ୍ଧ୍ୟା ସମୟରେ ଏୟାର ଇଣ୍ଡେକ୍ସ କ୍ୱାଲିଟି ବା (AQI ) ସ୍ତର ୪୦୦ ଅତିକ୍ରମ କରିଯାଉଥିବା ରେକର୍ଡ କରାଯାଉଛି । ଯେତେବେଳେ ଏହା ନୋଏଡାରେ ୪୬୯ରେ ରହୁଛି ।

ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ବାୟୁ ପ୍ରଦୂଷଣ ବଢିବା ଦ୍ୱାରା ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଫଳରେ ଶ୍ୱାସଜନିତ ସମସ୍ୟା ଉପୁଜୁଛି। ବିଶେଷ କରି ସେଠାରେ ଛାତି, ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗ ପରିଲକ୍ଷିତ ହେଉଛି । ଏହି ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କିଛି ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଯଦି ସମ୍ଭବ ୱାର୍କ ଫ୍ରମ୍ ହୋମ କରିବାକୁ ସରକାର ଅପିଲ କରିଛନ୍ତି ।

Get real time updates directly on you device, subscribe now.