fbpx

T-20 World Cup: କେଉଁ ଦୁଇଟି ଟିମ୍ ଖେଳିବେ ସେମି, ୬ ତାରିଖର ମ୍ୟାଚ କରିବ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା ବେଶ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ତିନୋଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ଜିତି ନିସ୍ତେଜ ହୋଇ ରହିଥିବା ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇ ସବୁକିଛି ଓଲଟ ପାଲଟ କରିଦେଇଛି । ଏବେ ଗ୍ରୁପ-ବି’ର ସେମିଫାଇନାଲ ରେସରେ ରହିଛନ୍ତି ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ବାଂଲାଦେଶ । ଆସନ୍ତା ୬ ତାରିଖରେ ହିଁ ଜଣାପଡ଼ିବ କେଉଁ ଦୁଇଟି ଟିମ୍ ସେମି ଖେଳିବେ ।

ଆସନ୍ତା ୬ ତାରିଖରେ ଭାରତ-ଜିମ୍ବାୱେ, ପାକିସ୍ତାନ-ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା-ନେଦରଲାଣ୍ଡସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏବେ ପଏଣ୍ଟ ଟେବୁଲରେ ଭାରତ ୬, ଦକ୍ଷିଣ ଆଫ୍ରିକା ୫, ପାକିସ୍ତାନ ୪ ଓ ବାଂଲାଦେଶ ୪ ପଏଣ୍ଟ ପାଇଛନ୍ତି । ଏହି ଚାରିଟି ଟିମ ମଧ୍ୟରୁ କିଏ ସେମିରେ ପହଞ୍ଚିବ ତାହା ଏବେଠାରୁ କହିବା ମୁସ୍କିଲ । ରନ ରେଟରେ ଦକ୍ଷିଣ ଆଫ୍ରିକା ଟପରେ ରହିଥିବା ବେଳେ ତା’ ତଳକୁ ପାକିସ୍ତାନ, ଭାରତ ଓ ବାଂଲାଦେଶ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ଓ ଭାରତ ଯଦି ସେମାନଙ୍କର ବାକି ଥିବା ଗୋଟିଏ ଲେଖାଏଁ ମ୍ୟାଚରେ ଜିତି ଯାଆନ୍ତି, ତେବେ ଏହି ଦୁଇ ଟିମ୍ ସେମିରେ ପହଞ୍ଚିଯିବେ । ଅନ୍ୟପକ୍ଷରେ ଏହି ଦୁଇ ଟିମ୍ ମଧ୍ୟରୁ ଯଦି ଜଣେ ପରାସ୍ତ ହୁଏ, ତେବେ ପାକିସ୍ତାନ ଓ ବାଂଲାଦେଶ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ । ଯଦି ଭାରତ-ଜିମ୍ବାୱେ ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୁଏ, ତେବେ ଟିମ୍ ଇଣ୍ଡିଆ ସେମିରେ ପହଞ୍ଚିଯିବ । ସେହିପରି ଦକ୍ଷିଣ ଆଫ୍ରିକା ମ୍ୟାଚରେ ଯଦି ବର୍ଷା ହୁଏ, ତେବେ ଏ କ୍ଷେତ୍ରରେ ରନରେଟ ହିଁ ସବୁକିଛି ନିର୍ଦ୍ଧାରଣ କରିବ । ପାକିସ୍ତାନ-ବାଂଲାଦେଶ ମଧ୍ୟରୁ ଯେଉଁ ଟିମ୍ ଜିତିବ ତା’ର ପଏଣ୍ଟ ଦକ୍ଷିଣ ଆଫ୍ରିକା ସହ ସମାନ ହୋଇଯିବ । ତେବେ ଗ୍ରୁପ-ବି’ର ଆସନ୍ତା ମ୍ୟାଚଗୁଡ଼ିକ ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବ ।

Get real time updates directly on you device, subscribe now.