fbpx

ଗୁଜରାଟ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କୁ ମିଳିବ ଭାରତର ନାଗରିକତା

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଜେପି, ଆମ ଆଦମୀ ପାର୍ଟି (ଆପ) ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ପାକିସ୍ତାନରୁ ବିସ୍ଥାପିତ ହୋଇ ଆସିଥିବା ହିନ୍ଦୁଙ୍କ ପାଇଁ ବିଜେପି ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ହିନ୍ଦୁ ପରିବାରଙ୍କୁ ନାଗରିକତା ପ୍ରଦାନ ନେଇ ଗୁଜରାଟର ଦୁଇ ଜିଲ୍ଲା ଆନନ୍ଦ ଓ ମେହସାଣାର ଜିଲ୍ଲାପାଳଙ୍କୁ ଅଧିକାର ପ୍ରଦାନ କରାଯାଇଛି ।

ମେହସାଣା ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଏକ କଲୋନୀ ନିର୍ମାଣ କରାଯାଇଛି । ତା’ର ନାମ ହେଉଛି ସହକାର କଲୋନୀ । ଏହି କଲୋନୀରେ ପାକିସ୍ତାନରୁ ବିସ୍ଥାପିତ ହୋଇ ଆସିଥିବା ୨୭ଟି ପରିବାର ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ୨୦୧୭ରେ ଭାରତ ଆସିଥିବା ବେଳେ ଆଉ କିଛି ୨୦୧୯ରେ ଆସିଥିଲେ । ମେହସାଣା ଓ ଆନନ୍ଦ ଜିଲ୍ଲାର କଲେକ୍ଟରମାନେ ନିଜ ସ୍ତରରେ ଯାଞ୍ଚ କରି ଏହି ହିନ୍ଦୁ ପରିବାରଙ୍କୁ ନାଗରିକତା ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାଥମିକ ଭାବେ ଏମାନଙ୍କୁ ୪୫ ଦିନ ପାଇଁ ଭିସା ମିଳିଥାଏ । ଏହାପରେ ସେମାନଙ୍କୁ ୫ ବର୍ଷର ଦୀର୍ଘ ଅବଧି ପାଇଁ ଭିସା ପ୍ରଦାନ କରାଯାଇଥାଏ । ଏହାପରେ ସେମାନେ ନାଗରିକତା ପାଇଁ ଆବେଦନ କରିପାରିବେ । ଏଥିସହିତ ଏଥିପାଇଁ ଗ୍ୟାରେଣ୍ଟର ହେବା ପାଇଁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ଆବଶ୍ୟକତା ପଡ଼ିଥାଏ । ତେବେ ଏହି ହିନ୍ଦୁ ପରିବାର ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ପାକିସ୍ତାନରେ ଥିବା ସମୟରେ ଅନେକ ସମସ୍ୟାର ସାମ୍ନା କରୁଥିଲେ । ସେମାନେ କେବଳ ଉର୍ଦ୍ଦୁ ଭାଷା ଲେଖିବା ଜାଣନ୍ତି । ପାକିସ୍ତାନରେ ସେମାନଙ୍କର ପିଲାଙ୍କୁ ଶିକ୍ଷାଦେବା ନେଇ କୌଣସି ସୁବିଧା ନଥିଲା । ସେମାନଙ୍କର ସୁରକ୍ଷାକୁ ନେଇ ସର୍ବଦା ଆଶଙ୍କା ସୃଷ୍ଟି ହେଉଥିଲା । ଭାରତ-ପାକିସ୍ତାନ ମ୍ୟାଚ ସମୟରେ ସେମାନେ ଟାର୍ଗେଟରେ ରହୁଥିଲେ । ମାତ୍ର ଭାରତକୁ ଆସିବା ପରେ ହିନ୍ଦୁ ଉତ୍ସବରେ ସେମାନେ ଏବେ ଉତ୍ସାହ ସହ ଖୁସି ମନାଇ ପାରୁଥିବା କହିଛନ୍ତି ।

Get real time updates directly on you device, subscribe now.