fbpx

ପଦ୍ମପୁର ଉପନିର୍ବାଚନ: ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ଏବେ ରହିଛି ପଦ୍ମପୁର ଉପନିର୍ବାଚନ ଉପରେ । ଏହା ମଧ୍ୟରେ ଗତକାଲି ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟ ଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ସତ୍ୟ ଭୂଷଣଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗ୍ରହଣ କରିଥିବା ଜଣାପଡ଼ିଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ଏହି ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ବର୍ତ୍ତମାନ ସୁଦ୍ଧା ବିଜେଡିର ଅଙ୍କ ଛିଣ୍ଡୁନାହିଁ । ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବାରୁ ଏନେଇ ବିଜେଡି ଭାବିଚିନ୍ତି ଗୋଟି ଚାଳନା କରୁଛି ।

ପଦ୍ମପୁର ଉପନିର୍ବାଚନରେ ସତ୍ୟ ଭୂଷଣ ପ୍ରାର୍ଥୀ ହୋଇପାରନ୍ତି ବୋଲି ପୂର୍ବରୁ ସଙ୍ଗେତ ଦେଇସାରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତେବେ ଶେଷରେ ସତ୍ୟଙ୍କ ନାମରେ ମୋହର ମାରିଛି ଏଆଇସିସି । ଆସନ୍ତା ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ହେଉଛି ଆସନ୍ତା ୧୭ । ତେଣୁ ଏନେଇ ଆଉ କମ୍ ସମୟ ବାକିଥିବାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତା’ ଉପରେ ରହିଛି ସମସ୍ତଙ୍କର ନଜର । ସୂଚନାଯୋଗ୍ୟ ଯେ, ବିଜେଡିର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଥିଲା ।

Get real time updates directly on you device, subscribe now.