fbpx

କ୍ଲାସ ଓ ଡ୍ୟୁଟି ବେଳେ ଜିନ୍ସ ଓ ଟପ୍ ପିନ୍ଧିବା ମନା: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଅନେକ ସମୟରେ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହୋଇଥାଏ । ନିକଟରେ ଏକ ମେଡିକାଲ କଲେଜରେ ଏଭଳି କିଛି ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ କ୍ଲାସ ଓ ଡ୍ୟୁଟି ସମୟରେ ଜିନ୍ସ, ଟପ୍ ପିନ୍ଧି ପାରିବେ ନାହିଁ । ଶିକ୍ଷାନୁଷ୍ଠାନ ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କ ନୂଆ ଡ୍ରେସ୍ କୋଡ୍ ଘୋଷଣା କରାଯାଇଛି ।

ତେବେ ଏହି ନୂଆ ନିୟମ ଏମବିବିଏସ, ବିଡିଏସ, ଏମଡି, ଏମଡିଏସ, ଏମଏସ, ନର୍ସିଂ, ପାରାମେଡିକାଲ ସମେତ ଅନ୍ୟ କୋର୍ସ ପାଇଁ ଲାଗୁ ହେବ । ସୂଚନା ମୁତାବକ, ଉତ୍ତର ପ୍ରଦେଶର ରାଜଧାନୀରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ)ରେ ଏହି ନିୟମ ଲାଗୁ କରାଯାଇଛି । ୟୁନିଭରସିଟିର ଛାତ୍ରଛାତ୍ରୀ ଓ ପଞ୍ଜିକୃତ ଡାକ୍ତର ଡ୍ୟୁଟି ସମୟରେ ଜିନ୍ସ ଓ ଡିପ୍ ନେକ ଟପ୍ ପରିଧାନ କରିପାରିବେ ନାହିଁ ।

ଶିକ୍ଷାନୁଷ୍ଠାନ ପକ୍ଷରୁ ଲାଗୁ ହୋଇଥିବା ଏହି ନୂଆ ନିୟମ ପାଇଁ ଡାକ୍ତରମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ପ୍ରଶାସନର ଆଦେଶ ଅନୁଯାୟୀ ଛାତ୍ରମାନେ ଶାର୍ଟ-ପ୍ୟାଣ୍ଟ, ଛାତ୍ରୀମାନେ ସାଲୱାର କମିଜ ସହିତ ପ୍ୟାଣ୍ଟ ଓ ଲେଙ୍ଗିଙ୍ଗ ପିନ୍ଧି ପାରିବେ । ସମସ୍ତ ଛାତ୍ରଛାତ୍ରୀ ନୂଆ ଆଫ୍ରୋନ ସହିତ ନେମ ପ୍ଲେଟ ଓ ଆଇ କାର୍ଡ ପିନ୍ଧିବା ବାଧ୍ୟତାମୂଳକ । କେଜିଏମୟୁ କ୍ୟାମ୍ପସରେ ପୂର୍ବରୁ ପୂରାତନ ଡାକ୍ତରଙ୍କ ପାଇଁ ଡ୍ରେସ୍ କୋଡ ନିୟମ ଲାଗୁ ହୋଇଥିବା ବେଳେ ଏବେ ରେସିଡେଣ୍ଟ ଡାକ୍ତରଙ୍କ ପାଇଁ ଲାଗୁ ହୋଇଛି ।

Get real time updates directly on you device, subscribe now.