ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି ରେଗୁଲାର କର୍ମଚାରୀଙ୍କୁ ମିଳିବ ସଂଶୋଧିତ ବେତନ: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ ବୋଲି ଗତ ଅକ୍ଟୋବର ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାପରେ ୧୬ ତାରିଖ ଦିନ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡିରେ କାର୍ୟ୍ୟ କରୁଥିବା କର୍ମଚାରୀମାନେଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରାଯାଇ ନିୟମିତ କରାଯିବ ବୋଲି କୁହାଯାଇଥିଲା ।
ତେବେ ରେଗୁଲାର କର୍ମଚାରୀମାନେ ଏବେ କେତେ ଦରମା ପାଇବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ । ସ୍ଥାୟୀ ନିଯୁକ୍ତି ପାଇଁ ତିନି ବର୍ଗର କମର୍ଚାରୀଙ୍କୁ ସଂଶୋଧିତ ଦରମା ମିଳିବ । କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଧାରରେ ନୂତନ ବେତନ ହାର ଧାର୍ୟ୍ୟ ନିମନ୍ତେ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡ଼ିଛି ।
ଗତ ମାସ ୧୭ ତାରିଖରୁ ତିନି ବର୍ଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରାଯାଇଛି । ସେମାନଙ୍କର ଚୁକ୍ତିଭିତ୍ତିକ କାର୍ୟ୍ୟ ଦିବସକୁ ହିସାବ କରି ନୂତନ ଦରମା ହାର ପ୍ରଦାନ କରାଯିବ । ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ତେବେ ଗ୍ରୁପ-ସି ଓ ଗ୍ରୁପ-ଡି ବର୍ଗର କମର୍ଚାରୀଙ୍କ ପ୍ରାରମ୍ଭିକ ନିଯୁକ୍ତି ୧୨.୧୧.୨୦୧୩ ପରେ ଓ ଗ୍ରୁପ-ବି କର୍ମଚାରୀଙ୍କ ନିଯୁକ୍ତି ୧୭.୦୧.୨୦୧୪ ହୋଇଥିବା ଆବଶ୍ୟକ ।
କର୍ମଚାରୀଙ୍କ ପାଇଁ ଗ୍ରେଡ୍ ପେ ୧୭୦୦, ୧୮୦୦, ୧୯୦୦, ୨୦୦୦, ୨୪୦୦ ଓ ୪୨୦୦ ଟଙ୍କା (ଏଲ-୦୧, ଏଲ-୨, ଏଲ-୩, ଏଲ-୪, ଏଲ-୫, ଏଲ-୮ ଓ ଏଲ-୯) ହାରରେ ଧାର୍ୟ୍ୟ କରାଯିବ । ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟ ପର୍ୟ୍ୟନ୍ତ କାର୍ୟ୍ୟ କରିଥିବେ ତେବେ ବାର୍ଷିକ ବର୍ଦ୍ଧିତ ଦରମା ଲାଗୁ କରାଯିବ ବୋଲି କୁହାଯାଇଛି । ୨୦୧୬ ଜାନୁଆରୀ ୧ ପରେ ସ୍ୱତନ୍ତ୍ର ସଂଶୋଧିତ ନିଯୁକ୍ତି ନିୟମ ୨୦୨୨ ଆଧାରରେ ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପାଇଁ ଓଆରଏସପି ରୁଲ ୨୦୧୭ ପେ’ ମାଟ୍ରିକ୍ସ ଆଧାରରେ ୧୯,୯୯୦ ଟଙ୍କା (ସି୧, ଏଲ୪) ଦରମା ଧାର୍ୟ୍ୟ କରାଯାଇଛି ।
ସ୍ଥାୟୀ ନିଯୁକ୍ତି ଦରମା ନିର୍ଦ୍ଧାରଣ ପାଇଁ ସମସ୍ତ ବିଭାଗକୁ ଏକ ଫର୍ମାଟ ପ୍ରଦାନ କରାଯାଇଛି । ସଂଶୋଧିତ ହାରରେ ରେଗୁଲାର ହେବାକୁ ଥିବା କର୍ମଚାରୀଙ୍କ ଦରମା ସମ୍ପୃକ୍ତ କାର୍ୟ୍ୟାଳୟର ମୁଖ୍ୟ ଅଧିକାରୀ ଧାର୍ୟ୍ୟ କରିବେ । ଯଦି କୌଣସି କର୍ମଚାରୀଙ୍କୁ ଭୁଲବଶତଃ ଅଧିକ ଦରମା ଦିଆଯାଇଥିବ, ତେବେ ତାହା ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ଭରଣା କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।