fbpx

‘ଭିଡ଼କୁ ଗଲେ ମାସ୍କ ପିନ୍ଧନ୍ତୁ’: ଚୀନ୍‌ରେ କରୋନା ସ୍ଥିତକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ମହାମାରୀର ତାଣ୍ଡବ ଜାରି ରହିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହିତ ମହାମାରୀ ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କରୋନା ସ୍ଥିତିକୁ ନେଇ ପ୍ରତି ସପ୍ତାହରେ ବୈଠକ କରିବାକୁ ନିଷ୍ପତି ହୋଇଛି । ଏହା ସହିତ ଭିଡ଼କୁ ଗଲେ ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ଏହି ବୈଠକରେ ନିତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ କହିଛନ୍ତି ଯେ, ବର୍ତ୍ତମାନ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଭିଡ଼ ଭିତରେ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଏକ ସମୀକ୍ଷା ବୈଠକ ହେବ । ପର୍ଯ୍ୟାପ୍ତ ପରିମାଣରେ ନମୁନା ପରୀକ୍ଷା କରାଯାଉଛି । ଏହା ମଧ୍ୟରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ ତାହା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିର କରିବ । ତେବେ ବର୍ତ୍ତମାନ ପାଇଁ କୌଣସି ନୂତନ ଗାଇଡଲାଇନ ଦିଆଯାଉ ନାହିଁ।

ଏହା ପୁର୍ବରୁ ଗତକାଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚିଠି ଲେଖି କୋଭିଡ ପଜିଟିଭ ମାମଲାର ନମୁନାକୁ ଜେନୋମ ସିକ୍ୱେନ୍ସିଂ ଲ୍ୟାବକୁ ପ୍ରତିଦିନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସମସ୍ତ ରାଜ୍ୟକୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ, ଜାପାନ, ଆମେରିକା, ରିପବ୍ଲିକ୍ ଅଫ୍ କୋରିଆ, ବ୍ରାଜିଲ ଏବଂ ଚୀନ୍‌ରେ ହଠାତ୍ କରୋନା ମାମଲା ବୃଦ୍ଧି ପାଇ କୋଭିଡ୍ ପଜିଟିଭ୍ ର ନୂଆ ଭାରିଆଣ୍ଟକୁ ଟ୍ରାକ୍ କରିବା ପାଇଁ ଏହା କୁହାଯାଇଛି । ମାମଲାଗୁଡ଼ିକର ଜିନୋମ କ୍ରମ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୧ ଟି ନୂଆ କୋଭିଡ ସକରାତ୍ମକ ମାମଲା ଚିହ୍ନଟ କରାଯାଇଛି । ତଥାପି, ଏହା ସୋମବାର ୧୮୧ ରୁ ହ୍ରାସ ପାଇଛି । ସମ୍ପ୍ରତି ଦେଶରେ ୩,୪୦୮ ସକ୍ରିୟ କରୋନା ମାମଲା ରହିଛି ।

Get real time updates directly on you device, subscribe now.