ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀମାନେ ପୁଣି ପାଇବାକୁ ଯାଉଛନ୍ତି ଏକ ବଡ଼ ଖୁସି ଖବର । ପୁଣି ବଢ଼ିପାରେ ମହଙ୍ଗା ଭତ୍ତା (ଡିଏ) । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ଡିଏ ପାଉଥିବା ବେଳେ ଆଉ ୩ ପ୍ରତିଶତ ଡିଏ ବୃଦ୍ଧି ନେଇ ପୂର୍ବାନୁମାନ କରାଯାଉଛି । ପ୍ରତି ୬ ମାସରେ ଥରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ସମୀକ୍ଷା କରାଯାଇଥାଏ । ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ଏଆଇସିପିଆଇ)କୁ ଆଧାର କରି ବର୍ଷକୁ ଦୁଇଥର ଜାନୁଆରୀ ଓ ଜୁଲାଇ ମାସରେ ଡିଏ ବୃଦ୍ଧି କରାଯାଇଥାଏ ।
ତେବେ ସୂଚନା ମୁତାବକ, ଆସନ୍ତା ୩୧ ତାରିଖରେ ନୂଆ ମୁଦ୍ରାସ୍ଫୀତି ଆକଳନ ରିପୋର୍ଟ ଆସିବାକୁ ଯାଉଛି । ତେଣୁ ବର୍ଷର ପ୍ରଥମାର୍ଦ୍ଧରେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଦରମା ଓ ପେନସନ କେତେ ବଢ଼ିବ ତାହା ଏହି ଆକଳନ ସ୍ଥିର କରିବ । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରତ୍ୟେକ ମାସ ଶେଷ ଦିନରେ ଏଆଇସିପିଆଇ ଇଣ୍ଡେକ୍ସ ଡାଟା ପ୍ରକାଶିତ ହୋଇଥାଏ । ତେବେ ଗତ ୨୦୨୨ ବର୍ଷ ନଭେମ୍ବର ପର୍ଯ୍ୟନ୍ତ ଡାଟା ମୁତାବକ, ଡିଏ ୩ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ତେବେ ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ହେବା ନିଶ୍ଚିତ । ଏହି ସୂଚକାଙ୍କରେ ଯଦି ଗୋଟିଏ ପଏଣ୍ଟ ବୃଦ୍ଧି ହୁଏ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ । ଏହାପରେ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖଠାରୁ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇ ପାରିବେ । ତେବେ ଯଦି କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବଢ଼େ ତେବେ ଏହା ୪୧ ପ୍ରତିଶତରେ ପହଞ୍ଚିଯିବ । ସେହିପରି ଯଦି ୪ ପ୍ରତିଶତ ବଢ଼େ ତେବେ ଏହା ୪୨ ପ୍ରତିଶତରେ ପହଞ୍ଚିଯିବ ।