fbpx

ନବ ଦାସଙ୍କ ମୃତ୍ୟୁ ସ୍ପଟରେ ଘଟିଥିଲା? ଏତେ ଡ୍ରାମା କାହିଁକି, ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିବା ଘଟଣା ଏବେ ସାରା ରାଜ୍ୟର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ବିରୋଧୀ ବିଜେପି ଏନେଇ ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ଏନେଇ ଏସଆଇଟି ତଦନ୍ତ ଦାବି କରିଛି । ଏଥିସହିତ ଏହା ଏକ ସାଧାରଣ ହତ୍ୟା ନୁହେଁ, ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ପ୍ରେସ୍ ମିଟରେ ଅଭିଯୋଗ ଆଣିଛି ।

ତେବେ ଏହି ସମୟରେ ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଜୟନାରାୟଣ କହିଛନ୍ତି, ନବଙ୍କର ମୃତ୍ୟୁ ସ୍ପଟରେ ଘଟିଥିବା ନେଇ ଆମେ ଖବର ପାଇଛୁ । ତେଣୁ ଏଭଳି ଡ୍ରାମା କରିବାର କ’ଣ ଆବଶ୍ୟକ ଥିଲା । ଯଦି ହତ୍ୟାକାରୀ ଏସଆଇ ଗୋପାଳ ଦାସ ପାଗଳ ଥିଲେ, ତେବେ ତାଙ୍କୁ ସର୍ଭିସ ପିସ୍ତଲ କ’ଣ ପାଇଁ ଦିଆଯାଇଥିଲା । ଏହି ହତ୍ୟା ପଛରେ ଅନେକ ରହସ୍ୟ ଲୁଚି ରହିଛି । ଏଥିରେ ଅନେକ ବଡ଼ ଲୋକଙ୍କର ସମ୍ପୃକ୍ତି ରହିଛି ।

ଓଡ଼ିଶା ପୋଲିସରେ କେତେ ପାଗଳ ରହିଛନ୍ତି, ସେନେଇ ସରକାର ସ୍ପଷ୍ଟ କରନ୍ତୁ । ଏଭଳି ଆଈ ମା’ କାହାଣୀ ଶୁଣିବାକୁ ଆମେ ପ୍ରସ୍ତୁତ ନାହୁଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ଛାନଭିନ ଚଳାଇଥିବା ବେଳେ ଅନ୍ୟପଟେ ରାଜ୍ୟ ବିରୋଧୀ ଦଳ ନେତାଙ୍କ ଏହି ବୟାନ ଏବେ ହଲଚଲ ସୃଷ୍ଟି କରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଓ ଫରେନସିକ ଟିମ୍ କ୍ରାଇମସ୍ପଟରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଉପସ୍ଥିତ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରୁଛନ୍ତି । ସୂଚନାଯୋଗ୍ୟ ଯେ, ନବଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଏୟାରଲିଫ୍ଟ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲକୁ ଆଣି ଚିକିତ୍ସା କରାଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.