fbpx

ମେହେନ୍ଦୀ ଲଗାଇଲେ ହୋଇପାରେ ଅପସ୍ମାର ରୋଗ: ମସ୍ତିଷ୍କ ସହିତ ଏହାର କି ସମ୍ପର୍କ, ହାତ ଗୋଡ଼ ଥରି ଉଠିବ, ଜିଭ କାମୁଡ଼ିଦେବେ, ତଳେ ପଡ଼ିଯିବେ

ନୂଆଦିଲ୍ଲୀ: ବ୍ରେନ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ଏହା ଆମ ଶରୀରର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଏହି ସମସ୍ତ କାର୍ଯ୍ୟ ମସ୍ତିଷ୍କରେ ଥିବା କୋଷିକା ମାଧ୍ୟମରେ ହୋଇଥାଏ । ଏହି କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରି କରେଣ୍ଟ ମାଧ୍ୟମରେ ନିଜର କାର୍ଯ୍ୟ ସମ୍ପାଦନ କରିଥାନ୍ତି । ତେବେ ଏହି ଇଲେକ୍ଟ୍ରିକ କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକପ୍ରକାରର ଝଡ଼ ଭଳି କିଛି ସୃଷ୍ଟି ହୋଇଥାଏ । ଏହାଦ୍ୱାରା ବ୍ୟକ୍ତି ଥରି ଥରି ତଳକୁ ପଡ଼ିଯାଇଥାଏ ଓ ଏହା ଲଗାତର ହେଲେ ଏହାକୁ ଅପସ୍ମାର ବା ମୂର୍ଚ୍ଛାରୋଗ କୁହାଯାଇଥାଏ ।

ସାଧାରଣ ଭାବେ ଅପସ୍ମାର ରୋଗକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ । ଜେନେରାଲଇଜଡ ଫିଟ୍ସରେ ଜଣଙ୍କର ଗୋଡ଼, ହାତ ହଠାତ୍ ଥରି ଉଠିବ ଓ ସେ ତଳେ ପଡ଼ିଯିବେ । ଜିଭ କାମୁଡ଼ିଦେବେ, ମୁହଁରେ ଫେଣ ଆସିବ, ଆଖି ଡୋଳା ଉପରକୁ ହୋଇଯିବ, ପରିସ୍ରା ହୋଇଯିବ । ୨-୩ ମିନିଟ ପରେ ତାଙ୍କର ଚେତା ଫେରିଥାଏ । ସେହିପରି ଫୋକାଲ ଫିଟ୍ସରେ ଜଣଙ୍କର ଶରୀରର ଗୋଟିଏ ପାଖର ହାତ, ଗୋଡ଼ ଥରି ଉଠିଥାଏ । ଏଭଳି କ୍ଷେତ୍ରରେ ରୋଗୀ ଅଚେତ ହୁଅନ୍ତି ନାହିଁ । ଅପସ୍ମାର ଏକ ମସ୍ତିଷ୍କ ରୋଗ ମାତ୍ର ମାନସିକ ରୋଗ ନୁହେଁ ।

ତେବେ ନିକଟରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ ଏକ ମାମଲାକୁ ନେଇ ଡାକ୍ତର ବି ଚକିତ ହୋଇଯାଇଥିଲେ । ଜଣେ ଯୁବତୀ ମେହେନ୍ଦୀ ଗନ୍ଧ କାରଣରୁ ମୂର୍ଚ୍ଛା ହୋଇଯାଉଥିବା ନେଇ ତାଙ୍କର ଅଭିଭାବକ ନ୍ୟୁରୋଲୋଜି ବିଭାଗ ଡାକ୍ତରଙ୍କୁ କହିଥିଲେ । ଏହି କେସର ଅଧ୍ୟୟନ ରିପୋର୍ଟ କ୍ଲିନିକାଲ ନ୍ୟୁରୋଫିଜିଓଲୋଜିର ସଦ୍ୟ ପ୍ରକାଶିତ ସଂସ୍କରଣରେ ପ୍ରକାଶିତ ହୋଇଛି ।

ସାଧାରଣ ଭାବେ ହାତରେ ମେହେନ୍ଦୀ ଲଗାଇବା ଦ୍ୱାରା ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ମାତ୍ର ଏହି ମେହେନ୍ଦୀ ଯଦି କୌଣସି ସମସ୍ୟାର ସକାରଣ ପାଲଟିଯାଏ, ତେବେ ଏହାକୁ ଆପଣ କ’ଣ କହିବେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣି ଡାକ୍ତର ବି ତାଜୁବ ହୋଇଯାଇଥିଲେ । ହାତରେ ମେହେନ୍ଦୀ ଲଗାଇବା ପରେ ଜଣେ ଯୁବତୀ ମୂର୍ଚ୍ଛା ହୋଇଯାଇଥିବା ତାଙ୍କର ଅଭିଭାବକ କହିଥିଲେ । ଏହାପରେ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଉକ୍ତ ଯୁବତୀଙ୍କ ଚିକିତ୍ସା କରିଥିବା ବରିଷ୍ଠ ଚିକିତ୍ସକଙ୍କ ମତରେ, ମେହେନ୍ଦୀ ଗନ୍ଧରେ ଏଭଳି ପ୍ରଭାବ ଦେଖାଯିବା ଏକ ବିରଳ ଘଟଣା । ଏହା ରିପ୍ଲେକ୍ସ ଏପିଲେପ୍ଲେପ୍ସୀର ଏକ ଅସାମାନ୍ୟ ମାମଲା । ହସ୍ପିଟାଲରେ ସେଟିଂରେ ରୋଗୀର ଡାହାଣ ହାତରେ ମେହେନ୍ଦୀ ଲଗାଯାଇଥିଲା । ମେହେନ୍ଦୀରେ ଏକ ସ୍ୱତନ୍ତ୍ର ପ୍ରକାରର ମାଟିର ଗନ୍ଧ ରହିଥାଏ । ମେହେନ୍ଦୀ ଲଗାଯାଇଥିବା ହାତକୁ ଛାତି ପାଖକୁ ନେବା ପରେ ଯୁବତୀ ମୂର୍ଚ୍ଛା ଯାଇଥିଲେ । ଅଚାନକ ରୋଗୀଙ୍କର ଉଦବେଗ ବଢ଼ିଯାଇଥିଲା, ହାତ ଓ ଗୋଡ଼ ଥରିଥିଲା ଓ ଆଖି ଉପରକୁ ହୋଇଯାଇଥିଲା ।

Get real time updates directly on you device, subscribe now.