ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ଅବସ୍ଥା ଯାହା ଘରୁ ବାହାରିବାକୁ ଡର ଲାଗୁଛି । ଦୁର୍ଘଟଣା ରୂପୀ ବିପଦ କେତେବେଳେ ମାଡ଼ି ଆସିବ ସେକଥା କହିହେବ ନାହିଁ । ତେବେ ଏପରି ଭାବେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୨୦ ଜଣ ମରଣ ସହ ସଂଘର୍ଷ କରୁଛନ୍ତି । ଏହାବ୍ୟତୀତ ୮୦ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।
ସୂଚନା ମୁତାବକ, ଛତିଶଗଡ଼ର ବଲୌଦା ବାଜାର ଜିଲ୍ଲାରେ ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଗୋଟିଏ ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ୮୦ ଜଣ ଯାତ୍ରୀ ଓ ଗୁରୁତର ହୋଇଥିବା ୨୦ ଜଣ ଯାତ୍ରୀଙ୍କୁ ନିକଟସ୍ଥ ବିଲାଈଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଆଗକୁ ଯେ ମୃତ୍ୟୁସଂଖ୍ୟା ନ ବଢ଼ିବା ସେକଥା କହିବା ଅସମ୍ଭବ ।
ତେବେ ଏକ ପାରିବାରିକ ବିବାହ କାର୍ଯ୍ୟକ୍ରମରେ ବରଯାତ୍ରୀମାନେ ବସରେ ରାୟପୁରରୁ ଛତିଶଗଡ଼ର ପଚରୀ ବିଲାଈଗଡ଼କୁ ଫେରୁଥିଲେ । ଏହି ସମୟରେ ଦୁର୍ଭାଗ୍ୟବଶତଃ ବସଟି ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ବସ ଓ ଟ୍ରକ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା । ଦୁର୍ଘଟଣାରେ ପାଖାପାଖି ୧୦ ଜଣ ଲୋକଙ୍କର ଗୋଡ଼ ଭାଙ୍ଗି ଯାଇଛି । ୮-୧୦ ଜଣଙ୍କୁ ରାୟପୁର ରେଫର କରାଯାଇଛି । ବଲୌଦା ବଜାରରେ ଏକ ମାସକ ମଧ୍ୟରେ ଏହା ଦ୍ୱିତୀୟ ଦୁର୍ଘଟଣା । ସ୍ଥାନୀୟ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।