ଦୁଃଖ ଖବର: ଭୁବନେଶ୍ୱରରେ ଘଟିଲା ବଡ଼ ଅଘଟଣ, ନଦୀରେ ଭାସିଗଲେ ନାବାଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଦୀ କିମ୍ବା ସମୁଦ୍ରରେ ଗାଧୋଇବା ସମୟରେ ଅତ୍ୟନ୍ତ ସାବଧାନ ରହିବା ନିହାତି ଜରୁରୀ । ଅନେକ ସମୟରେ ଛୋଟ ପିଲାମାନେ ଗାଁ ନଦୀ, ପୋଖରୀ ହେଉ କି ସମୁଦ୍ର ହେଉ, ଅସାବଧାନତା କାରଣରୁ ମୃତ୍ୟୁବରଣ କରିଥାନ୍ତି । ଏଭଳି ସ୍ଥିତିରେ ଭାଗ୍ୟକୁ ନିନ୍ଦା କରିବା ଛଡ଼ା ଆଉ ଅନ୍ୟ ବାଟ ନଥାଏ । ତେଣୁ ଛୋଟ ପିଲା ବିଶେଷ କରି ଯେଉଁମାନେ ପହଁରା ଶିଖିନଥାନ୍ତି ସେମାନେ ଗଭୀର ଜଳକୁ ଯିବା ଅନୁଚିତ ।

ତେବେ ଏହା ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର । ରାଜଧାନୀ ଉପକଣ୍ଠରେ ଜଣେ ନାବାଳକ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରୁ ଉକ୍ତ ନାବାଳକ ଜଣଙ୍କ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଦୟାନଦୀରେ ଗାଧୋଉଥିବା ସମୟରେ ହଠାତ୍ ନାବାଳକ ଜଣଙ୍କ ଜଳସ୍ରୋତରେ ନିଜକୁ ନିୟନ୍ତ୍ରଣରେ ରଖି ପାରିନଥିଲେ । ତେବେ ନାବାଳକଙ୍କ ଘର ନିକଟସ୍ଥ ଇନ୍ଦିରା କଲୋନୀରେ ବୋଲି ଜଣାପଡ଼ିଛି ।

ତେବେ ନାବାଳକଙ୍କ ନିଖୋଜ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତ୍ତମାନ ନିଖୋଜ ନାବାଳକଙ୍କୁ ଉଦ୍ଧାର ପାଇଁ ତଲାସୀ ଅଭିଯାନ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ମଧ୍ୟ ରାଜଧାନୀର ୩ ଜଣ ଛାତ୍ର ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଜଗତସିଂହପୁର ଜିଲ୍ଲା ମାଛ ଗାଁ ନିକଟରେ ଏହି ଅଘଟଣ ଘଟିଥିଲା । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଛାତ୍ରମାନେ ଅସାବଧାନତା କାରଣରୁ ଭାସିଯାଇଥିବା ଅନୁମାନ କରାଯାଇଥିଲା ।