ବଡ଼ ଖବର: ବିଧାୟକ ଦେଲେ ଇସ୍ତଫା, ଆସନ୍ତା ମାସରେ ରାଜ୍ୟରେ ଭୋଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଆସନ୍ତା ମାସରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ହେବାର ଅଛି । ଏନେଇ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । କଳେବଳେ କୌଶଳେ କେମିତି ସିଟ୍ ଅକ୍ତିଆର କରିବେ ସେନେଇ ନେତାମାନଙ୍କୁ ଆଉ ରାତିରେ ନିଦ ହେଉନି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ଆସିଛି । ଆସନ୍ତା ମାସରେ ରାଜ୍ୟରେ ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହା ମଧ୍ୟରେ ଜଣେ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଭୋଟ ହେବ । ଏହାପରେ ୧୩ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ରାଜ୍ୟରେ ଏଥର ବିଜେପି-କଂଗ୍ରେସ-ଜେଡିଏସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି ।

ସୂଚନା ମୁତାବକ, ଜେଡିଏସ ବିଧାୟକ ଶିବଲିଙ୍ଗେ ଗୌଡ଼ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ଗୌଡ଼ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡ଼େଙ୍କୁ ପ୍ରଦାନ କରିଛନ୍ତି । ଏହି ଇସ୍ତଫା ପତ୍ର ପ୍ରଦାନ ଅବସରରେ ଦଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଶିବଲିଙ୍ଗେ ତାଙ୍କର ୩୦୦ ଜଣ ସମର୍ଥକଙ୍କ ଉପସ୍ଥିତିରେ ଇସ୍ତଫା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଆସନ୍ତା ମାସ ୧୦ ତାରିଖରେ ଓଡ଼ିଶାର ଝାରସୁଗୁଡ଼ା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ ।