fbpx

ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର? BJPର କ’ଣ ରହିଛି ପ୍ଲାନ, ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଗତ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ବିଶେଷ ଫୋକସ କରିଥିଲେ । ଯଦିଓ ଏଠାରେ ଦଳର ‘ଡବଲ ଇଞ୍ଜିନ’ ଆହ୍ୱାନ ସଫଳ ହୋଇ ପାରିନଥିଲା, ତଥାପି ଦଳ ଉଭୟ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଲୋକସଭା ଓ ବିଧାନସଭା ସିଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲା ।

ତେବେ ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ରାଜ୍ୟ ବିଜେପିର ଅନ୍ୟତମ ତୁଙ୍ଗନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏକ ବଡ଼ ଖବର ଆସିଛି । ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ସମ୍ବଲପୁର ଆସନ ଉପରେ ପ୍ରଧାନଙ୍କର ନଜର ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁରେଶ ପୂଜାରୀ ଓ ଜୟନାରାୟଣ ମିଶ୍ରଙ୍କୁ ଛାଡ଼ିଦେଲେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ଭଳି ଟାଣୁଆ ନେତା ବିଜେପିରେ ଦେଖାଯାଉ ନାହାନ୍ତି । ଶ୍ରୀ ପୂଜାରୀ ବରଗଡ଼ରୁ ଏବେ ସାଂସଦ ରହିଥିବା ବେଳେ ଶ୍ରୀ ମିଶ୍ର ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି ।

ତେବେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସଭାରେ ନିତେଶ ଗଙ୍ଗଦେବଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ସମ୍ବଲପୁର ଆସନରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ପୂର୍ବରୁ ଧର୍ମେନ୍ଦ୍ର ନିଜର ମାଟି ତଥା ଢେଙ୍କାନାଳ ଆସନ ପ୍ରତି ଆଗ୍ରହ ବଳାଉଥିବା ଚର୍ଚ୍ଚା ହେଉଥିଲା । ତେବେ ଏବେ ପ୍ରଧାନ ସମ୍ବଲପୁର ଆଡ଼କୁ ଅଧିକ ମନ ବଳାଉଥିବା କୁହାଯାଉଛି । ଏବିଭିପିରେ ସକ୍ରିୟ ଥିବା ସମୟରେ ଧର୍ମେନ୍ଦ୍ର ସମ୍ବଲପୁରରେ ଅନେକ ବର୍ଷ ବିତାଇଥିଲେ । ତେଣୁ ସେଠାକାର ଲୋକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଏଭଳି ସ୍ଥିତିରେ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେଲେ ଦଳକୁ ଫାଇଦା ମିଳିବାର ସମ୍ଭାବନା ରହିଛି । ଶ୍ରୀ ପ୍ରଧାନ କେଉଁଠୁ ଲଢ଼ିବେ ତାହା ଭବିଷ୍ୟତ କହିବ ।

Get real time updates directly on you device, subscribe now.