fbpx

ବର୍ଷା ଜଳ ବି ସୁରକ୍ଷିତ ନୁହେଁ? ଆକାଶର ବାଦଲରେ ଲୁଚିଛନ୍ତି ହଜାର ହଜାର ମେଡିସିନ୍ ପ୍ରତିରୋଧୀ ବ୍ୟାକ୍ଟେରିଆ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ବର୍ଷା ସମୟରେ ଆକାଶରୁ ତଳକୁ ଖସୁଥିବା ଜଳ ବୁନ୍ଦା ଆମକୁ ଶାନ୍ତି ପ୍ରଦାନ କରିବା ସହ ଆମେ ଏହାକୁ ଶୁଭ ମନେକରିଥାଉ । ତେବେ ବର୍ଷା ଜଳକୁ ନେଇ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ବର୍ଷା ଜଳବିନ୍ଦୁରେ ଅନେକ ବ୍ୟାକ୍ଟେରିଆ ଲୁଚି ରହିଛନ୍ତି ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟାକ୍ଟେରିଆଗୁଡ଼ିକ ଔଷଧ ପ୍ରତିରୋଧୀ ଅର୍ଥାତ ଏମାନଙ୍କଠାରେ ଔଷଧର ପ୍ରଭାବ ରହିବ ନାହିଁ । ଏହାକୁ ‘ଡ୍ରଗ-ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ’ କୁହାଯାଉଛି ।

ତେବେ ବର୍ଷା ଜଳରେ ବ୍ୟାକ୍ଟେରିଆ ରହିଥିବା ନେଇ ତଥ୍ୟ ମିଳିଥିଲେ ହେଁ କଳା ବାଦଲକୁ କାନାଡ଼ା ଓ ଫ୍ରାନ୍ସର ଅଧ୍ୟୟନକାରୀମାନେ ଅଶୁଭ ବୋଲି କହିନାହାନ୍ତି । କାରଣ ଏହି ବାଦଲ ଆଗକୁ ଆସୁଥିବା ଝଡ଼ର ସୂଚନା ଦେଇଥାଏ । ଏହି ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆକୁ ବାଦଲ ବହୁ ଦୂର ପର୍ଯ୍ୟନ୍ତ ନେବାରେ ସକ୍ଷମ ହୋଇଥାଏ । ସାଧାରଣ ଭାବେ ଏହି ବ୍ୟାକ୍ଟେରିଆ ପତ୍ର ଓ ମାଟିର ପୃଷ୍ଠରେ ରହୁଥିବା କୁହାଯାଉଛି । ପବନ ଦ୍ୱାରା ଏହି ବ୍ୟାକ୍ଟେରିଆଗୁଡ଼ିକ ବାୟୁମଣ୍ଡଳରେ ଘୂରି ବୁଲିଥାନ୍ତି । ତେବେ ଏହି ବ୍ୟାକ୍ଟେରିଆଗୁଡ଼ିକ କମ୍ ହାନୀକାରକ ହୋଇଥିବାରୁ ଲୋକଙ୍କୁ ବର୍ଷା ଜଳକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

କେନ୍ଦ୍ରୀୟ ଫ୍ରାନ୍ସର ସମୁଦ୍ର ସ୍ତରଠାରୁ ୧,୪୬୫ ମିଟର ଉଚ୍ଚରେ ରହିଥିବା ଏକ ନିଷ୍କ୍ରିୟ ଆଗ୍ନେୟଗିରିରେ ଏହି ରିସର୍ଚ୍ଚ କରାଯାଇଥିଲା । ୨୦୧୯ରୁ ୨୦୨୧ ମସିହା ମଧ୍ୟରେ ସେଠାରୁ ନମୂନା ସଂଗ୍ରହ କରାଯାଇଥିଲା । ତେବେ ପ୍ରତି ମିଲିଲିଟର ବାଦଲ ଜଳରେ ୩୦ ହଜାରରୁ ଅଧିକ ବ୍ୟାକ୍ଟେରିଆକୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରେ ଆଣ୍ଟିବାୟୋଟିକ ପ୍ରତିରୋଧୀ ଜିନର ୨୯ଟି ସବଟାଇପ ମଧ୍ୟ ଚିହ୍ନଟ ହୋଇଥିଲା । ଏହି ବ୍ୟାକ୍ଟେରିଆଗୁଡ଼ିକ ଆଣ୍ଟିବାୟୋଟିକ ସଂସ୍ପର୍ଶରେ ଆସିବା ସହ ପୀଢ଼ି ପରେ ପୀଢ଼ି ସେମାନଙ୍କଠାରେ ପ୍ରତିରୋଧୀ କ୍ଷମତା ବିକଶିତ ହୋଇଥାଏ । ତେଣୁ ଆଗାମୀ ବିଶ୍ୱରେ ବଡ଼ଧରଣର ବିପଦର ଆଶଙ୍କା ରହିଥିବା ନେଇ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.