fbpx

NEET UG 2023 ପରୀକ୍ଷା ସ୍ଥଗିତ: ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ NTA

ନୂଆଦିଲ୍ଲୀ: ମଣିପୁରରେ ଆରକ୍ଷଣ ବିବାଦକୁ ନେଇ ଦେଖାଦେଇଥିବା ହିଂସା ଉଗ୍ରରୂପ ଧାରଣ କରିଛି । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୫୪ ଜଣ ଲୋକଙ୍କର ଜୀବନ ହାନୀ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁଳିମାଡ଼ରେ ଆହତ ହୋଇଥିବା ବ୍ୟକ୍ତିମାନେ ଜବାହରଲାଲ ନେହରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ୧୦ ହଜାର ସୈନିକଙ୍କୁ ନିୟୋଜିତ କରାଯାଇଛି ।

ତେବେ ହିଂସା ଛାତ୍ରଛାତ୍ରୀଙ୍କର ପାଠପଢ଼ା ଉପରେ ଖରାପ ପ୍ରଭାବ ପକାଉଛି । ହିଂସାକୁ ଦୃଷ୍ଟିରେ ରଖି ନ୍ୟାସନାଲ ଏଲିଜିବିଲିଟି କମ୍ ଇଣ୍ଟ୍ରାନ୍ସ ଟେଷ୍ଟ (ନିଟ) ୟୁଜି ୨୦୨୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୭ ତାରିଖରେ ହେବାକୁ ଥିବା ମେଡିକାଲ ପ୍ରବେଶିକା ପରୀକ୍ଷା ସ୍ଥଗିତ ହୋଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ ।

ତେବେ ଯେଉଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ମଣିପୁରରେ ରହିଛି, ସେମାନଙ୍କର ପରୀକ୍ଷା ଆସନ୍ତାକାଲି ହେବ ନାହିଁ । ଖୁବଶୀଘ୍ର ଏନଟିଏ ନୂଆ ପରୀକ୍ଷା ତାରିଖ ଘୋଷଣା କରିବ । ମଣିପୁରରେ ଦେଖାଦେଇଥିବା ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ଏନଟିଏକୁ ଚିଠି ଲେଖି ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ମଣିପୁରରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିବା ବେଳେ ଏପରି ସ୍ଥିତିରେ କୌଣସି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ବସି ପାରିବେ ନାହିଁ । ରାଜ୍ୟର ଦୁଇଟି ପରୀକ୍ଷା କେନ୍ଦ୍ରରେ ୫୭୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ଥିଲା । ତେବେ ପରୀକ୍ଷା ସ୍ଥଗିତ ନେଇ ଏନଟିଏ ତରଫରୁ ନୋଟିଫିକେସନ ଜାରି କରାଯାଇଛି ।

Get real time updates directly on you device, subscribe now.