fbpx

IAS ଅଫିସର ଛବି ରଞ୍ଜନ ଚାକିରିରୁ ସସପେଣ୍ଡ: ସରକାରଙ୍କ ତରଫରୁ ଜାରି ହେଲା ଅଧିସୂଚନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ କ୍ୟାଡରର ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଛବି ରଞ୍ଜନଙ୍କ ମୁସ୍କିଲ ବଢ଼ିଯାଇଛି । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଞ୍ଚିର ପୂର୍ବତନ ସମାଜ କଲ୍ୟାଣ ନିର୍ଦ୍ଦେଶକ ଛବିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏନେଇ ରାଜ୍ୟ କାର୍ମିକ, ପ୍ରଶାସନିକ ସୁଧାର ଓ ରାଜଭାଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଗତକାଲି ଆଇଏଏସ ଅଧିକାରୀ ଛବିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ପ୍ରଥମେ ୧୦ ଘଣ୍ଟା ଧରି ଛବିଙ୍କୁ ଇଡି ଅଧିକାରୀମାନେ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏଥିସହିତ ଜମି ଘୋଟାଲା ମାମଲାରେ ପଚରାଉଚରା ପାଇଁ ଇଡି ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲେ ହେଁ ସ୍ୱତନ୍ତ୍ର ଅଦାଲତ ପକ୍ଷରୁ ୬ ଦିନର ରିମାଣ୍ଡ ମିଳିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୨ ତାରିଖରେ ଛବିଙ୍କୁ ବିଶେଷ ଅଦାଲତରେ ହାଜର କରାଯିବ । ପିଏମଏଲଏର ବିଶେଷ କୋର୍ଟ ପକ୍ଷରୁ ଇଡିକୁ ୬ ଦିନର ରିମାଣ୍ଡ ପ୍ରଦାନ କରାଯାଇଥିବା ବେଳେ ଏହି ରିମାଣ୍ଡର ଅବଧି ମେ ୭ ତାରିଖରୁ ୧୨ ପର୍ଯ୍ୟନ୍ତ ବୈଧ ରହିବ । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ନିୟମ ଆଧାରରେ ପୂର୍ବରୁ ଆଇଏଏସ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ବେଆଇନ ଆର୍ଥିକ କାରବାର ମାମଲାରେ ଗତବର୍ଷ ୨୦୦୦ ବ୍ୟାଚ ଆଇଏଏସ ଅଫିସର ପୂଜା ସିଂଘଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା ।

Get real time updates directly on you device, subscribe now.