ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ଆଜି ୫ଟି ଜିଲ୍ଲାର ୩୨୩ଟି ସ୍କୁଲ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ୫ଟି ଉପକ୍ରମ ଅନୁସାରେ ହାଇଟେକ ଲାଇବ୍ରେରୀ ସାଙ୍ଗକୁ ପିଲାଙ୍କର ସ୍ମାର୍ଟ କ୍ଲାସରୁମ୍ ସ୍ୱପ୍ନ ରାଜ୍ୟ ସରକାର ପୂରଣ କରୁଛନ୍ତି ।
ତେବେ ଚଳିତ ବର୍ଷଠାରୁ ରାଜ୍ୟର ୧୦୬ଟି ହାଇସ୍କୁଲରେ ଦ୍ୱାଦଶ ଶ୍ରେଣୀ ଖୋଲିବ । ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନୀତ ହୋଇଥିବା ଏହି ସ୍କୁଲମାନଙ୍କରେ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟି ସ୍କୁଲରେ ବିଜ୍ଞାନ ଓ କଳା ପାଠ ପଢ଼ାଯିବ । ସେହିପରି ଅନ୍ୟ ୧୦୦ଟି ଉନ୍ନୀତ ସ୍କୁଲରେ ଛାତ୍ରଛାତ୍ରୀମାନେ କେବଳ ଯୁକ୍ତଦୁଇ ପାଠ ପଢ଼ିବେ । ଦ୍ୱାଦଶ ଶ୍ରେଣୀ ପାଠ ପଢ଼ାଇବା ପାଇଁ ମୋଟ ୧୦୬ଟି ସ୍କୁଲକୁ ଉପଯୋଗୀ କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନା ମୁତାବକ, ନୂଆ ଶିକ୍ଷାବର୍ଷରୁ ହାଇସ୍କୁଲ କ୍ୟାମ୍ପସରେ ଜୁନିଅର କଲେଜ ଚାଲିବା ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି । ଏହି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ । ସକାଳ ୭ଟାରୁ ୧୧ଟା ଓ ସକାଳ ୧୧ଟାରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଦିନକୁ ଦୁଇଟି ଶିଫ୍ଟରେ କ୍ଲାସ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବ । ସେଥିପାଇଁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ାଯିବ । ଉଭୟ ଅଫଲାଇନ ଓ ଅନଲାଇନ ମୋଡ଼ରେ ଆଡମିଶନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।