ଝାରସୁଗୁଡା ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ: ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ’

ଝାରସୁଗୁଡା: ଝାରସୁଗୁଡା ପାଇଁ ଉପନିର୍ବାଚନର ପ୍ରଚାର ସମୟ ଶେଷ ହୋଇ ଆସୁଛି । ୮ ତରିଖରେ ଶେଷ ହେବ ନିର୍ବାଚନୀ ପ୍ରଚାର । ତେବେ ଏହାପୂର୍ବରୁ ଆଜି ଏହି ନିର୍ବାଚନରେ ହେବ ଏକ ମହାଲଢେଇ । ବିଜେଡି-ବିଜେପିର ନିର୍ବାଚନ ପ୍ରଚାରରେ ଆଜି କମ୍ପିବ ଝାରସୁଗୁଡା ସହର । ଗୋଟିଏ ପଟେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତ ଆଉ ପଟେ ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଝାରସୁଗୁଡାରେ ବିଜେଡି-ବିଜେପି ଲଢେଇର ମଙ୍ଗ ଧରିବେ ଏହି ଦୁଇ ଷ୍ଟାର ପ୍ରଚାରକ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରିଛି ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ।

ଝାରସୁଗୁଡା ନିର୍ବାଚନ ଶେଷ ପର୍ଯ୍ୟାୟରେ ଦଳର ଅଧିନାୟକ ନବୀନ ପଟ୍ଟନାୟକ ମଇଦାନକୁ ଆସିଛନ୍ତି । ଆଜି ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କର ସମ୍ମିଳନୀ ଆୟୋଜନ ହେବ । ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ସମୟରେ ୫ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟରଙ୍କ ସମେତ ୨୨ ସପ୍-ଇନ୍ସପେକ୍ଟର, ୬୪ ଏଏସଆଇ ନିୟୋଜିତ ହୋଇଛନ୍ତି । ଏହାସହିତ ୫ ଜଣ ହାବିଲଦାର, ୧୩୧ ଜଣ ଓଆର କନେଷ୍ଟବଳ, ୨୯ ମହିଳା କନେଷ୍ଟବଳଙ୍କ ସହିତ ୧୪୬ ଜଣ ହୋମଗାର୍ଡ ଏବଂ ସାଢେ ୩ ସେକ୍ସନ ଏପିଆର କାର୍ଯ୍ୟକ୍ରମରେ ସୁରକ୍ଷା ଦାୟିତ୍ରେ ରହିବେ । ତେବେ ମୋଟ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ମୁତୟନ ହୋଇଛନ୍ତି ୧୪.୫ ପ୍ଲାଟୁନ ପୋଲିସ ଫୋର୍ସ । ଅପରାହ୍ନ ସାଢେ ୪ଟା ରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ଆମଲିପାଲିସ୍ଥିତ ସଭାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଏହାପରେ ୫.୧୫ରେ ଝାରସୁଗୁଡା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ବିଜେପି ପାଇଁ ରଣକ୍ଷେତ୍ରକୁ ଓହ୍ଲାଇବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ନିର୍ବାଚ ମଣ୍ଡଳୀରେ ଧର୍ମେନ୍ଦ୍ର ରୋଡ ସୋ’ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିବେ । ତେବେ କୋଲାବିରା ବ୍ଲକ ଝିର୍ଲିପାଲି ପଞ୍ଚାୟତରେ ଏକ ସାଦାରଣ ସଭାରେ ଯୋଗ ଦେବା ପରେ ଆରମ୍ଭ ହେବ ଏହି ରୋଡ ସୋ’ । ଅପରାହ୍ନ ସାଢେ ୪ଟାରେ ବସ୍ ଷ୍ଟାଣ୍ଡରୁ ସରବାହାଲ ପର୍ଯ୍ୟନ୍ତ ଏକ ରୋଡ ସୋ’ କରି ଭୋଟଣଙ୍କୁ ବିଜେପି ପାଇଁ ଭୋଟ ଭିକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।