ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାର୍ଡକୋର ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ ଘଟିଛି । ଟପ୍ ମାଓନେତା ବସନ୍ତ ଓରଫ ସମଲୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମାଓ ସଂଗଠନ ପକ୍ଷରୁ ଏକ ପ୍ରେସନୋଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ବସନ୍ତ କୁଖ୍ୟାତ ମାଓନେତା ହିଡମାର ପ୍ରମୁଖ ସହଯୋଗୀ ରହିଥିବା ବେଳେ ସେ ମାଲକାନଗିରି-ଛତିଶଗଡ଼ ସୀମନ୍ତବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଘଟିଥିବା ମାଓ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା ।
ମାଓନେତା ବସନ୍ତ ଦୀର୍ଘ ୨୬ ବର୍ଷ ଧରି ମାଓ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସେ ମାଓ ଅସ୍ତ୍ରଶସ୍ତ୍ର କାରଖାନାର ମୁଖ୍ୟ ଦାୟିତ୍ୱରେ ରହିଥିଲା । ସେ ବିଭିନ୍ନ ପ୍ରକାରର ବିସ୍ଫୋରକ ସାମଗ୍ରୀ ଓ ବୋମା ତିଆରି କରିବାରେ ବେଶ୍ ଓସ୍ତାଦ ଥିଲା । ବସନ୍ତର ମୃତ୍ୟୁ ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା । ଛତିଶଗଡ଼ର ତାଡ଼ମେଟଲା, ଭଟିଗୁଡ଼ା ପରି କିଛି ଅଞ୍ଚଳରେ ସେ ଅନେକ ମାଓ ହିଂସାକାଣ୍ଡ ଘଟାଇଥିଲା ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ସାରା ଦେଶ ପାଇଁ ମାଓବାଦ ଏକ ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଗତ ମାସ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲମାନେ ଏକ ବଡ଼ଧରଣର ହମଲା କରିଥିଲେ । ଉକ୍ତ ଆକ୍ରମଣରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି)ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଡ୍ରାଇଭର ପ୍ରାଣ ହରାଇଥିଲେ । ଫୋର୍ସକୁ ନେଇ ଯାଉଥିବା ବେଳେ ନକ୍ସଲମାନେ ଅଚାନକ ଗାଡ଼ି ଉପରକୁ ବିସ୍ଫୋରକ ସାମଗ୍ରୀ ମାଡ଼ କରିଥିଲେ ।