Republic Day 2024 ପରେଡ, ମାର୍ଚ୍ଚ ପାଷ୍ଟ ପ୍ରଦର୍ଶନରେ କେବଳ ମହିଳାମାନେ ସାମିଲ ହେବେ, ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗଣତନ୍ତ୍ର ଦିବସକୁ ନରେନ୍ଦ୍ର ମୋଦୀ ସରକାର ସ୍ପେଶାଲ କରିବାକୁ ଯୋଜନା କରିଛନ୍ତି । ଏଥର ଗଣତନ୍ତ୍ର ଦିବସ ପରେଡ ଠାରୁ ଆରମ୍ଭ କରି ମାର୍ଚ୍ଚ ପାଷ୍ଟରେ କେବଳ ମହିଳାଙ୍କୁ ହିଁ ଦେଖିବାକୁ ମିଳିବ । ସେନା ଓ ଅନ୍ୟ କ୍ଷେତ୍ରରେ ମହିଳାଙ୍କ ଭାଗିଦାରିତାଙ୍କୁ ଗୁରୁତ୍ୱଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ପ୍ରତିରକ୍ଷା ବାହିନୀ ସହିତ ଗୁରୁତ୍ୱପୂର୍ଣ୍ଣ ବିଭାଗମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ନୋଟିସ ମୁତାବକ, ଆସନ୍ତା ୨୦୨୪ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ, ମାର୍ଚ୍ଚ ପାଷ୍ଟ, ବ୍ୟାଣ୍ଡସ, ଟେବୁଲକ୍ସ ପ୍ରଦର୍ଶନ ସମୟରେ କେବଳ ମହିଳାମାନେ ହିଁ ଅଂଶଗ୍ରହଣ କରିବେ । ଏ ସୂଚନା ବାବଦରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଶାଖା ସହିତ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗକୁ ଅବଗତ କରାଯାଇଛି । ବହୁ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ତେବେ ଆସନ୍ତାବର୍ଷ ଠାରୁ ଗୃହ ବ୍ୟାପାର, ସଂସ୍କୃତି ଓ ସହରୀ ବିକାଶ ମନ୍ତ୍ରଣାଳୟର ଗଣତନ୍ତ୍ର ଦିବସ ପରେଡରେ କେବଳ ମହିଳାମାନେ ସାମିଲ ହେବେ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛି ବର୍ଷ ମଧ୍ୟରେ ରକ୍ଷା ବଳ ଓ ପାରାମିଲିଟାରୀରେ ମହିଳାଙ୍କ ଭାଗିଦାରୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇ ଆସିଛନ୍ତି । ମହିଳାଙ୍କୁ କଣ୍ଟିଜେଣ୍ଟ କମାଣ୍ଡର ଓ ଡେପୁଟି କମାଣ୍ଡର ପଦରେ ଅବସ୍ଥାପିତ କରାଯାଇଛି । ଏହି ସୁବିଧା ପ୍ରଦାନ କରାଯିବା ଫଳରେ ମହିଳାମାନେ ଇଣ୍ଡିଆନ ଏୟାର ଫୋର୍ସର ଫାଇଲଟ ହେବା ସହିତ ଯବାନ ଭାବେ ସେନାରେ ସାମିଲ ହୋଇ ପାରିଛନ୍ତି । ଭାରତୀୟ ମହିଳାମାନେ ସେମାନଙ୍କର ସଶକ୍ତିକରଣ ମାଧ୍ୟମରେ ଦେଶର ବିକାଶକୁ ଆଗେଇ ନେବାରେ ସହାୟକ ହେବେ ବୋଲି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୯୯ତମ ସଂସ୍କରଣ ଅବସରରେ ପିଏମ୍ ମୋଦୀ କହିଥିଲେ ।