IAS-MLA: କାହାର ପାୱାର ଅଧିକ, କିଏ କେତେ କ୍ଷମତାଶାଳୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ସମ୍ବିଧାନ ସରକାରୀ ଅଧିକାରୀ, ରାଜନେତାଙ୍କୁ ଅଲଗା ଅଲଗା ଅଧିକାର ପ୍ରଦାନ କରିଥାଏ । ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚୟନ ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିଥାନ୍ତି । ଜିଲ୍ଲାର ଶାସନ ମୁଖ୍ୟ ପଦରେ କଲେକ୍ଟର ବା ଜିଲ୍ଲାପାଳ ରହିଥାନ୍ତି । ଆଇଏଏସ ଅଫିସରଙ୍କର କୌଣସି ଡ୍ରେସ୍ କୋଡ୍ ରହିନଥାଏ ।

ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରି କଠିନ ପରୀକ୍ଷା ମାଧ୍ୟମରେ କୃତକାର୍ଯ୍ୟ ହେବା ପରେ ହିଁ ଆଇଏଏସ ପରି ଏକ ସମ୍ମାନଜନକ ପଦରେ ନିଯୁକ୍ତି ମିଳିଥାଏ । ଅନ୍ୟପକ୍ଷରେ ରାଜ୍ୟ ବିଧାନସଭାର ସଦସ୍ୟଙ୍କୁ ଏମଏଏଲ ବା ବିଧାୟକ କୁହାଯାଏ । ସେ ଜନସାଧାରଣଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇଥାନ୍ତି । ନିଜ ନିର୍ବାଚନ ମଣ୍ଡଳୀର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ସମସ୍ୟା ସହିତ ଲୋକଙ୍କର ବିଭିନ୍ନ ସମସ୍ୟାକୁ ଦୂର କରିବା ନେଇ ସେ ବିଧାନସଭାରେ ପ୍ରସଙ୍ଗ ଉଠାଇଥାନ୍ତି ।

ଯଦି ଜଣେ ଆଇଏସ ଅଧିକାରୀ କଲେକ୍ଟର ଭାବେ କାର୍ଯ୍ୟ କରନ୍ତି ତେବେ ତାଙ୍କର କ୍ଷମତା କେବଳ ଜିଲ୍ଲା ସ୍ତରରେ ସୀମିତ ରହିଥାଏ । ମାତ୍ର ସେ ଯଦି ରାଜ୍ୟ ସରକାରଙ୍କ କୌଣସି ବିଭାଗର ସଚିବ ପଦରେ କାର୍ଯ୍ୟ କରନ୍ତି ତେବେ ତାଙ୍କର ଦାୟିତ୍ୱ ବଦଳି ଯାଇଥାଏ । ମାତ୍ର ଜଣେ ବିଧାୟକ ଜିଲ୍ଲାବାସୀଙ୍କ ଦାୟିତ୍ୱ ବୁଝିବା ସହିତ ସରକାରୀ ଓ ବିରୋଧୀ ଦଳ ସହିତ ଜଡ଼ିତ ରହିଥାନ୍ତି । ତେଣୁ ତାଙ୍କୁ ଶାସକ ଦଳରେ ମୁଖ୍ୟ ସଚେତକ, ବାଚସ୍ପତି, ମନ୍ତ୍ରୀ ଆଦି ପଦ ମିଳିପାରେ । ଏପରି ସ୍ଥିତିରେ ଉକ୍ତ ବିଧାୟକଙ୍କ କ୍ଷମତା ବହୁଗୁଣିତ ହୋଇଯାଇଥାଏ ।

ସାଧାରଣ ଭାବେ ବିଭିନ୍ନ ଫିଲ୍ମରେ ଆଇଏଏସ, ଆଇପିଏସ ଓ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ନେଇ ନେଇ ଅନେକ ମନୋରଞ୍ଜନଧର୍ମୀ କାହାଣୀ ଉପସ୍ଥାପନ କରାଯାଇଥାଏ । ମାତ୍ର ତାହା ବାସ୍ତବିକତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଜିଲ୍ଲାପାଳ ଜିଲ୍ଲାର ଶାସନ ମୁଖ୍ୟ ହୋଇଥିବା ବେଳେ ବିଧାୟକ ଜନତାଙ୍କ ସମସ୍ୟାକୁ ଦୂର କରିବା ନେଇ ପ୍ରୟାସ କରିଥାନ୍ତି । ବିଭିନ୍ନ ବିଭାଗ ଉପରେ ଚାପ ପ୍ରୟୋଗ କରି କାର୍ଯ୍ୟ କରିବା ହିଁ ଜନପ୍ରତିନିଧିଙ୍କର ମୁଖ୍ୟ କାମ । ଅନେକ ସମୟରେ ଏହି ଚାପ ଭୁଲ ଢଙ୍ଗରେ ମଧ୍ୟ କରାଯାଇଥାଏ । କିଛି କ୍ଷେତ୍ରରେ ଜିଲ୍ଲାପାଳ ଭ୍ରଷ୍ଟାଚାରୀ ହୋଇଥାନ୍ତି ତ ଆଉ କେତେବେଳେ ବିଧାୟକ ଭ୍ରଷ୍ଟାଚାରୀ ହୋଇଥାନ୍ତି ।

ବିଧାୟକଙ୍କ ଠାରେ କୌଣସି କ୍ଷମତା ନଥାଏ, ସେ ଜଣେ ଜନପ୍ରତିନିଧି । ମାତ୍ର ଜିଲ୍ଲାପାଳଙ୍କ ଠାରେ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ଶକ୍ତି ରହିଥାଏ । ସମସ୍ତ ଶକ୍ତି ଥାଇ ମଧ୍ୟ ଅଧିକାଂଶ ସମୟରେ ଜିଲ୍ଲାପାଳମାନେ ବିଧାୟକଙ୍କୁ ଅଧିକ ସମ୍ମାନ କରିଥାନ୍ତି । କାରଣ ବିଧାୟକଙ୍କଠାରେ ଜନତାଙ୍କ ସମର୍ଥନ ରହିଥାଏ । ଜଣେ ଜିଲ୍ଲାପାଳ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପାଇଥାନ୍ତି । ମାତ୍ର ଜଣେ ବିଧାୟକ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ ଏଠାରେ ଜନତାଙ୍କ ଠାରେ ହିଁ ପ୍ରକୃତ ଶକ୍ତି ନିହିତ ଥାଏ ।