fbpx

ଆସନ୍ତା ‘ଶନିବାର’ ଭୋଟ ଗଣତି: କାହା ମୁଣ୍ଡରେ ପଡ଼ିବ ଶନିଦଶା, କିଏ ପିନ୍ଧିବ ବିଜୟ ମୁକୁଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଭୋଟ ସରିଛି, ଆରମ୍ଭ ହେବ ଗଣତି । ଝାରସୁଗୁଡ଼ାବାସୀ କାହାକୁ ବାଛିଛନ୍ତି ସେମାନଙ୍କର ନେତା? ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଘୋଷିତ ହେବ । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଆସନ୍ତା ଶନିବାର ।

୨୦୧୯ରେ ସରକାର ଗଠନ ହେବା ପରେ ବିଜେଡି ଏକାଧିକ ଉପନିର୍ବାଚନରେ ନିଜର କାୟା ବିସ୍ତାର କରିଥିବା ବେଳେ କେବଳ ଧାମନଗରରେ ପରାଜୟ ବରଣ କରିଥିଲା । ତେଣୁ ଅତୀତର ଭୁଲକୁ ସୁଧାରିବା ପାଇଁ ବିଜେଡି ତା’ର ସମସ୍ତ ଶକ୍ତିଙ୍କୁ କାମରେ ଲଗାଇ ଦେଇଥିଲା । ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ । ନିଜର ଦଳବଳ ସହ ଝାରସୁଗୁଡ଼ା ଷ୍ଟ୍ରାଟେଜି ଆପଣାଇ ଦଳ ବିଜୟ ହାସଲ ପ୍ରୟାସରେ ରହିଛି । ସେହିପରି କଂଗ୍ରେସ ନିକଟରେ ନିଜର ସଂଗଠନକୁ ସଜାଡ଼ିବା ସହିତ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଯାଇଛି ଓ ଗଡ଼ ଦଖଲ ପ୍ରୟାସରେ ରହିଛି ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୯୮,୨୫୬, ବିଜେପି ୫୨,୬୮୭ ଓ କଂଗ୍ରେସ ୧୮,୬୯୫ଟି ଭୋଟ ପାଇଥିଲା । ସେହି ନିର୍ବାଚନରେ ବିଜେଡି ୪୫ ହଜାରରୁ ଅଧିକ ଭୋଟରେ ଜିତିଥିବା ବେଳେ ଏଥର କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା । ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ ଆସନ୍ତା ବିଧାନସଭା ନିର୍ବାଚନକୁ କିଛି ମାତ୍ରାରେ ପ୍ରଭାବିତ କରିବାର ସମ୍ଭାବନା ରହିଛି । ତେଣୁ ଏହି ନିର୍ବାଚନ ଉପରେ ସମସ୍ତ ରାଜନୈତିକ ଦଳଙ୍କର ଆଖି ରହିଛି । ଶନିବାର ଦିନ କାହା ଉପରେ ଶନିଦଶା ପଡ଼ିବ ଆଉ କାହା ଉପରେ ବୃହସ୍ପତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.