fbpx

ଓଡ଼ିଶାକୁ ମିଳିଲା ‘ଜାତୀୟ ଜଳଶକ୍ତି ପୁରସ୍କାର-୨୦୨୨’: ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ହାସଲ କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ବିକାଶ ଆଡ଼କୁ ଅଗ୍ରଗତି କରି ଚାଲିଛି । ସେଥିପାଇଁ ବିଭିନ୍ନ ସମୟରେ ରାଜ୍ୟକୁ କେନ୍ଦ୍ର ସରକାର ଓ ଅନ୍ତର୍ଜାତୀୟ ସ୍ତରରୁ ଅନେକ ପୁରସ୍କାର ମିଳିଛି । ତେବେ ଏହା ମଧ୍ୟରେ ଓଡ଼ିଶା ପୁଣି ସାରା ଦେଶରେ ନିଜର ସଫଳତାକୁ ଦୋହରାଇଛି । ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ହାସଲ କରିଛି ଓଡ଼ିଶା । ଏହା ରାଜ୍ୟବାସୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଗୌରବ ମୁହୂର୍ତ୍ତ ।

ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଜାତୀୟ ଜଳ ପୁରସ୍କାର ମିଳିଛି । କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏହି ଘୋଷଣା କରାଯାଇଛି । ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଓଡ଼ିଶାକୁ ଏହି କ୍ଷେତ୍ରରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ଖୁବଶୀଘ୍ର ଏକ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯିବ । ଏହି ଅବସରରେ ଓଡ଼ିଶାକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ୩.୨ ଲକ୍ଷ ହେକ୍ଟର ଅତିରକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ପାଖାପାଖି ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇ ଦିଆଯାଇଛି । ଜଳ ସମ୍ପଦ ବିଭାଗ ଦ୍ୱାରା ରାଜ୍ୟର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କରାଯାଇଛି । ଉଚ୍ଚ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ୬୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ, ୨୮୩୩ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, ୨୨,୫୦୦ଟି ଗଭୀର ନଳକୂପ ନିର୍ମାଣ କରାଯାଇଛି । ଏହାଫଳରେ ପାଖାପାଖି ୩୨ ହଜାର ହେକ୍ଟର ଚାଷଜମି ସହଜରେ ଜଳସେଚିତ ହୋଇ ପାରୁଛି । ଜଳ ସମ୍ପଦର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଗତ ୫ ବର୍ଷରେ ୧୧ ହଜାର ୭୦୦ କୋଟି ଟଙ୍କା ବିନିଯୋଗ କରି ଜଳାଶୟ ନିର୍ମାଣ କରି ପାଖାପାଖି ୫୦ ହଜାର ହେକ୍ଟର ମିଟର ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅନୁସାରେ ଜଳ ସମ୍ପଦ କ୍ଷେତ୍ରରେ ସୂଚନା, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଜାରି ରହିଛି ।

Get real time updates directly on you device, subscribe now.