ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ବାଛିଲା କଂଗ୍ରେସ: କାହିଁକି ପଛରେ ପଡ଼ିଲେ ଶିବକୁମାର ଓ ଖଡ଼ଗେ, ଜାଣନ୍ତୁ ୧୨ଟି ବଡ଼ କାରଣ
ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଶପଥ ଗ୍ରହଣ କରିବେ । ଅନ୍ୟପକ୍ଷରେ ଡି.କେ ଶିବକୁମାର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଦିନକୁ ଦିନ ପତ୍ତନ ଆଡ଼କୁ ଗତି କରୁଥିବା ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସକୁ ନୂଆ ଆଶା ଦେଇଛି କର୍ଣ୍ଣାଟକର ବିଜୟ । ଏହି ବିଜୟ ହାସଲ କରିବା ପାଇଁ କଂଗ୍ରେସ ଯେତିକି ସଂଘର୍ଷ କରିଥିଲା ତା’ଠାରୁ ବେଶି କସରତ କରିଥିଲ।। ମୁଖ୍ୟମନ୍ତ୍ରୀ ବାଛିବାରେ । ବୈଠକ ପରେ ବୈଠକ କରିବା ପରେ ଶେଷରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଥିଲା । ତେବେ ଏଠରେ ପ୍ରଶ୍ନ ଉଠୁଛି ଦଳ ସିଦ୍ଧଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଭାବେ ବାଛିଲା କାହିଁକି ଶିବଙ୍କୁ ନୁହେଁ । ଏହା ପଛରେ ଅନେକ କାରଣ ରହିଛି ।
୧- ସିଦ୍ଧ କୁରୂବା ସମ୍ପ୍ରଦାୟର ନେତା ଅଟନ୍ତି, ଯାହାକି କର୍ଣ୍ଣାଟକର ସବୁଠାରୁ ବଡ଼ ଜାତି । ଏହି ଜାତିର ନେତାଙ୍କୁ ମୁଖ୍ୟମନ୍ତ୍ରୀ କଲେ କଂଗ୍ରେସକୁ ଆଗକୁ ରାଜନୈତିକ ଫାଇଦା ମିଳିବାର ସମ୍ଭାବନା ରହିଛି ।
୨- ରାଜସ୍ଥାନର ଅଶୋକ ଗେହଲଟ ଓ ଛତିଶଗଡ଼ର ଭୂପେଶ ବଘେଲ କଂଗ୍ରେସର ଦୁଇଜଣ ପଛୁଆ ବର୍ଗର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଅଟନ୍ତି । ଜନପ୍ରତିନିଧି, ଗ୍ରାମୀଣ, କୃଷି ଆଦି ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ବିପକ୍ଷ ଦଳ ବି ସିଦ୍ଧଙ୍କୁ ସମ୍ମାନ ଦେଇଥାନ୍ତି ।
୩- ଧର୍ମନିରପେକ୍ଷକୁ ସଠିକ ଢଙ୍ଗରେ ସମ୍ମାନ ଦେଇ ଜାଣନ୍ତି ସିଦ୍ଧ । ନିର୍ବାଚନ ସମୟରେ ମୁସଲମାନଙ୍କୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲେ ହେଁ ସେ ତାହାକୁ ସହଜରେ ସମାଧାନ କରି ଜନତାଙ୍କ ପ୍ରିୟ ହୋଇ ପାରିଥିଲେ ।
୪- କଂଗ୍ରେସର ଶାସନକୁ ଆଣିବା କ୍ଷେତ୍ରରେ ସିଦ୍ଧଙ୍କର ବଡ଼ ଭୂମିକା ରହିଛି । ସେ ଜଣେ ଏପରି ରାଜନେତା, ଯେ କି ନିଜ ପାଖରେ ମୋବାଇଲ ବି ରଖନ୍ତି ନାହିଁ । ଯେତେବଡ଼ ନେତା ହୁଅନ୍ତୁ ନା କାହିଁ, ସିଦ୍ଧ ନିଜର ପିଏଙ୍କ ମାଧ୍ୟମରେ ତାଙ୍କ ସହ ସମ୍ପର୍କ କରିଥାନ୍ତି ।
୫- ସିଦ୍ଧ ଜଣେ ଚତୁର ରାଜନେତା । ସେ ଗରିବଙ୍କୁ ନିଜର ରାଜନୀତିର କେନ୍ଦ୍ର ଭାବେ ଗ୍ରହଣ କରିଥାନ୍ତି । ଏଥିସହିତ ଜନତାଙ୍କ ଶକ୍ତିକୁ ସେ ଅଧିକ ଗୁରୁତ୍ୱ ଦେଇଥାନ୍ତି ।
୬- ଗତ ୨୦୧୩ରେ ସିଦ୍ଧଙ୍କ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ମୁଖ୍ୟମନ୍ତ୍ରୀ ରେସରୁ ଆଉଟ୍ ହୋଇଥିଲେ । ଦଳରେ ସିଦ୍ଧଙ୍କର ଗୁରୁତ୍ୱ କେତେ ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ।
୭- ସିଦ୍ଧ ନିଜର ପରିଷ୍କାର ସ୍ୱଭାବ ଓ ବ୍ୟକ୍ତିତ୍ୱ ପାଇଁ ଜନତାଙ୍କ ମଧ୍ୟରେ ବେଶ୍ ପରିଚିତ । ତାଙ୍କ ବିରୋଧରେ କେବେ ବି ବ୍ୟକ୍ତିଗତ ଫାଇଦା ପାଇଁ ଭ୍ରଷ୍ଟାଚାରର ଅଭିଯୋଗ ଆସିନାହିଁ ।
୮- ସିଦ୍ଧରମୈୟା ସରକାରଙ୍କ ନିଷ୍ପତ୍ତି ଫଳରେ ୨୦୧୮ ବିଧାନସଭା ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ିଥିଲା । ମାତ୍ର ୨୦୨୩ରେ ଦଳ ବିଜେପି ଠାରୁ ଅଧିକ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା । ତେଣୁ ଗରିବଙ୍କ ମଧ୍ୟରେ ତାଙ୍କର ଛବି କେତେ ପାୱାରଫୁଲ, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ।
୯- ଏହା ତାଙ୍କର ଶେଷ ନିର୍ବାଚନ ବୋଲି ସିଦ୍ଧରମୈୟା ନିର୍ବାଚନ ପ୍ରଚାର ସମୟରେ ଖୋଲାଖୋଲି ଘୋଷଣା କରିଥିଲେ । ମାତ୍ର ଶିବକୁମାର ନିଜର ଇଚ୍ଛାକୁ ଜନତାଙ୍କ ଆଗରେ ପ୍ରକାଶ କରିନଥିଲେ ।
୧୦- ବିଜେପି ନେତା ବି.ଏସ. ୟେଦ୍ଦିୟୁରାପାଙ୍କୁ ସକ୍ରିୟ ରାଜନୀତିକୁ ଦୂରେଇ ଦେବା ପରେ ସିଦ୍ଧରମୈୟା ରାଜ୍ୟର ସବୁଠାରୁ ବଡ଼ ରାଜନୈତା ଭାବେ ଉଭା ହୋଇଥିଲେ । ଏପରିକି ଶିବକୁମାର ଏହି ରେସରେ ମଧ୍ୟ ପଛରେ ପଡ଼ିଯାଇଥିଲେ ।
୧୧- ସିଦ୍ଧ ଆରଏସଏସ ଓ ବିଜେପିର ଜଣେ କଡ଼ା ସମାଲୋଚକ ଥିଲେ । ଅପରପକ୍ଷେ ଶିବକୁମାର କେବଳ ଜଣେ ହିନ୍ଦୁ ଭକ୍ତ ଥିବାବେଳେ ତାଙ୍କର ସେପରି ସ୍ୱତନ୍ତ୍ର ବିଚାରଧାରା ନଥିଲା ।
୧୨- ଶିବକୁମାର କର୍ଣ୍ଣାଟକର ଜଣେ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ଇଡି ଓ ସିବିଆଇ ମାମଲା ଦାୟର ହୋଇଥିଲା । ଏପରିକି ସେ ଥରେ ଜେଲ ମଧ୍ୟ ଯାଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ସ୍ୱଚ୍ଛ ରାଜନେତା ଭବେ ଶିବ ପଛରେ ପଡ଼ିଯାଇଥିଲେ । ଦଳର ଅଧିକାଂଶ ବିଧାୟକ ସିଦ୍ଧଙ୍କୁ ସମର୍ଥନ କରିଥିଲେ ।